ବସୁଧା ଯୋଜନା ଫେଲ୍ : ଅସହ୍ୟ ଜଳକଷ୍ଟ, ଲୋକେ ପିଉଛନ୍ତି ଗୋଳିଆ ପାଣି

ଅଭିଶପ୍ତ ଜୀବନ ବିତାଉଛନ୍ତି ୨୦ ପରିବାର

ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ସାରକେତା ଗାଁରୁ । ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ମିଳୁନି । ବିଶୁଦ୍ଧ ପାନୀୟ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ହେଲେ ଏଯାବତ୍ ସମସ୍ୟାର ସମାଧାନ ହୋଇପାରି ନାହିଁ । କୁଡୁତୁଲି ପଞ୍ଚାୟତ ସାରକେତା ଗାଁର ନିମାପଡ଼ା, ଖଲିଆପଦର ଓ ବାଲିପଙ୍କାଲ ଅଞ୍ଚଳରେ ପାଖାପାଖି ୩୦ ବର୍ଷ ହେବ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ଏମାନେ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି । କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ଗାଁରେ ଏକ ନଳକୂପ ନୂତନ ଭାବେ ଖୋଳା ଯାଇଛି ସତ କିନ୍ତୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏହାହିଁ ବୟାନ କରୁଛି ପ୍ରଶାସନର କେତେ ଆନ୍ତରିକତା ଅଛି ଏ ଅଞ୍ଚଳବାସୀଙ୍କ ପାଇଁ ? ଜଳ ହିଁ ଜୀବନ’ ଏଣୁ ବାଧ୍ୟ ହୋଇ ପ୍ରତି ଦିନ ଦୁଇ କିଲୋମିଟର ବାଟ ଯାଇ ଗ୍ରାମବାସୀଙ୍କ ଦ୍ୱାରା ବିଲ ମଝିରେ ଖୋଳା ଯାଇଥିବା ଚୁଆର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଜଣା ରୋଗରେ ପଡ଼ୁଛନ୍ତି । ଏ ତ ଗଲା ଜଳ କଷ୍ଟ । ବିଦ୍ୟୁତ୍ କଥା ନକହିବା ଭଲ । ବିଦ୍ୟୁତ୍ ଆଲୋକ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ, ରାଜନେତା ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକରେ ଏଭଳି ସମସ୍ୟା ଥିବା ସତ୍ତ୍ୱେ ତାଙ୍କର ଏଥିପ୍ରତି ନିଘା ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ତୁରନ୍ତ ପ୍ରଶାସନ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.