ଚଲନା ବରଦେଶ୍ୱର ଶିବ ମନ୍ଦିରରେ ଶୀତଳ ଷଷ୍ଠୀ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ସ୍ଥିତ ବାବା ବରଦେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ୧୯ତମ ମହା ଶୀତଳ ଷଷ୍ଠୀ ମହୋତ୍ସବ ତଥା ବାବା ବରଦେଶ୍ୱର ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବୈଦିକ ରୀତିରେ ମହାସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଶନିବାର ଏକ ଭବ୍ୟ କଳସ ଶୋଭାଯାତ୍ରା ସ୍ଥାନୀୟ ଶତାଧିକ ମହିଳା ସାମିଲ ହୋଇ ପବିତ୍ର ଜଳ ଆଣି ପୂଜାମଣ୍ଡପରେ ସ୍ଥାପନ ପରେ ପାରମ୍ପରିକ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶନିବାର ସନ୍ଧ୍ୟା ରୁ ରବିବାର ସକାଳ ପର୍ଯ୍ୟନ୍ତ ଚତୁର୍ଥ ପ୍ରହାର ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା। ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ଥିଲେ। ସେହିପରି ରବିବାର ସକାଳ ୭ ଘଣ୍ଟାରୁ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଏହି ବିବାହ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ନିବାସୀ ଅନାଦି ପ୍ରସାଦ ରାଉତ ଓ ସହଧାର୍ମିଣୀ ଗୀତାଞ୍ଜଳି ରାଉତ ବରପକ୍ଷ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଖଡ଼ିଆଳ(ଚଲନା) ନିବାସୀ ସୁରେନ୍ଦ୍ର ନାଏକ ଓ ଧର୍ମପତ୍ନୀ ରୀନା ନାଏକ କନ୍ୟାପକ୍ଷ ଦାୟିତ୍ୱ ନିର୍ବାହ କରୁଛନ୍ତି। ରବିବାର ସନ୍ଧ୍ୟାରେ ଉଭୟ ବର ପକ୍ଷ ଓ କନ୍ୟାପକ୍ଷ ର ମିଳନରେ ପାରମ୍ପରିକ ରୀତିନୀତି ଅନୁସାରେ ଶିବ ବିବାହ କାର୍ଯ୍ୟକ୍ରମ ମହାସମାରୋହରେ ସମାପନ ହୋଇଛି। ରାତ୍ରି କାଳୀନ ପ୍ରୀତିଭୋଜନର ଆୟୋଜନ ମହାଡମ୍ବରରେ କରାଯାଇଥିବା ସହ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅଞ୍ଚଳ ତଥା ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମହାମାରୀ କରୋନା ଯୋଗୁଁ ବିଗତ ବର୍ଷରେ କାର୍ଯ୍ୟକ୍ରମ ହୋଇପାରିନଥିଲା। ଫଳରେ ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ଆଜି (ସୋମବାର) ମହା ଶୀତଳ ଷଷ୍ଠୀ ଉତ୍ସବ ଅନୁଷ୍ଠିତ ହେବା ସହ ରୁଦ୍ରଭିଷେକର ଆୟୋଜନ ହେବ ବୋଲି ଶୀତଳ ଷଷ୍ଠୀ ପୂଜା କମିଟି ତରଫରୁ ସୂଚନା ମିଳିଛି। ଆସନ୍ତା ୨୦୨୩ ବର୍ଷର ଏହି ମହୋତ୍ସବ ପାଇଁ ବରପିତା ଓ କନ୍ୟାପିତା ହେବା ପାଇଁ ଇଚ୍ଛୁକ ଧର୍ମତ୍ମା ମାନେ କାର୍ଯ୍ୟକ୍ରମ ପରିଚାଳନା କମିଟି ସହ ଯୋଗାଯୋଗ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.