ସ୍ବାଧୀନତା ଦିବସ: ଏକ ବିହଙ୍ଗାବଲୋକନ

✍🏼ବିଶ୍ବବିଜୟୀ ଦାଶ

ଦୀର୍ଘ ଦ୍ବିଶତାଧିକ ବର୍ଷ ବ୍ୟାପୀ ବ୍ରିଟିଶ୍ ଶାସନର ଚ଼କ୍ରତଳେ ନିପୀଡ଼ିତ ଭାରତବାସୀ ଯେଉଁଦିନ ସ୍ବାଧିନତାର ଆଦ୍ୟବାୟୁ ନାସାପୁଟରେ ଆଘ୍ରାଣ କଲେ, ସେହି ଦିନଟି ହେଉଛି ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ। ସେହି ଦିବସଟି ଭାରତବର୍ଷ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ସେହି ଦିବସଟି ଅମରାକ୍ଷରେ କାଳବକ୍ଷରେ ଖୋଦିତ ହୋଇ ରହିବ, କାରଣ ସେହି ଦିନ ରାତ୍ରି ବାର ଘଟିକା ସମୟରେ ୪୦ କୋଟି ଭାରତୀୟ ଜନତା ସମବେତ ଭାବରେ ବିନା ରକ୍ତପାତରେ ପରାଧୀନତାର ନିଗଡ଼ ଛିନ୍ନ କରି ସ୍ବାଧିନତାର ପ୍ରଥମ ଆସ୍ବାଦନ ଲାଭ କଲେ।


୧୯୪୨ ମସିହା ଅଗଷ୍ଟ ମାସରେ ମହାତ୍ମା ଗାନ୍ଧୀ ‘ଇଂରେଜ ସରକାର ଭାରତ ଛାଡ଼’ ବୋଲି ଡ଼ାକ ଦେଇ “ଭାରତ ଛାଡ଼ ଆନ୍ଦୋଳନ” ନାମକ ଯେଉଁ ଗୌରବମୟ ବିପ୍ଲବ ର ଅୟମାରମ୍ଭ କରିଥିଲେ, ସେ ଗୌରବମୟ ବିପ୍ଲବ ଗୌରବମୟ ବିଜୟରେ ବିଭୂଷିତ ହେଲା ୧୯୪୭ ମସିହା ଅଗଷ୍ଟ ମାସ ପଞ୍ଚଦଶ ଦିବସ ରାତ୍ର ୧୨ ଘଟିକା ସମୟରେ। ସେହିଦିନ ଠାରୁ ଅଦ୍ୟାବଧି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧୫ ତାରିଖ ଭାରତ ର ସ୍ବାଧିନତା ଦିବସ ରୂପେ ଭାରତର ଅଗଣିତ ଜନତା ଭକ୍ତି ଓ ସମ୍ମାନ ର ସହିତ ପରିପାଳନ କରିଆସୁଛନ୍ତି। ସେହି ଦିବସରୁ ତୁଙ୍ଗ ଆକାଶରେ ଭାରତବର୍ଷର ଜୈତ୍ରକେତନ, ଚ଼ିତ୍ରଶୋଭିତ ତ୍ରିରଙ୍ଗା ଜାତୀୟ ପତାକା ବାୟୁହିଲ୍ଲୋଳରେ ଫରଫର୍ ହୋଇ ଉଡ଼୍ଡୀୟମାନ ହେଉଅଛି।


ଅଗଣିତ ଦେଶପ୍ରେମୀଙ୍କ ସହଯୋଗ, ପ୍ରଚ଼େଷ୍ଟା ଓ ବଳିଦାନ ବଳରେ ଆମେ ବହୁ ପ୍ରତୀକ୍ଷିତ ସ୍ବାଧୀନତା ପାଇଲୁ। ଭାରତର ସ୍ବାଧୀନତା ସଂଗ୍ରାମରେ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଭୂମିକା ଅତୁଳନୀୟ ଓ ଅବିସ୍ମରଣୀୟ। ଗାନ୍ଧୀଜିଙ୍କ ଦ୍ବାରା ଅସହଯୋଗ ଆନ୍ଦୋଳନ ହୋଇଥିଲା। ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା। ଗାନ୍ଧିଜୀ ହିଁ ଥିଲେ ଏହାର ମୁଖ୍ୟ ଯୋଜନାକାରୀ।

ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଥିଲା ଏହି ଅସହଯୋଗର ମୂଳନୀତି। ଏହା ଯଦି କାର୍ଯ୍ୟକାରୀ ହୋଇପାରି୍ବ ତାହାଲେ ଇଂରେଜ ସରକାରଙ୍କ ଶାସନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବ। ଏଥିସହିତ ଶାସନକାଳ ମଧ୍ୟ ଅଚଳ ହୋଇପଡିବ। ପୁନଶ୍ଚ ବିଦେଶୀ ଦ୍ରବ୍ୟ ବର୍ଜନଦ୍ୱାରା ବ୍ରିଟିଶର ଅର୍ଥନୀତି ଧ୍ୱଂସାଭିମୁଖୀ ହୋଇପଡିବ। ଫଳରେ ଇଂରେଜମାନେ ଭାରତ ଛାଡିବାକୁ ବାଧ୍ୟ ହେବେ। ଏହିପରି ରଣନୀତି ପ୍ରସ୍ତୁତ ହୋଇଥିଲା।


ଭାରତର ସ୍ୱାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା “ଲବଣ ସତ୍ୟାଗ୍ରହ ” ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା। ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା।


ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ। ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ। ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା।


ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀ ମନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ। ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା। ଏହି ଲବଣ ସତ୍ୟାଗ୍ରହ ଓଡ଼ିଶାରେ ମଧ୍ୟ ହୋଇଥିଲା।


ଓଡ଼ିଶାର ବୀର ପୁତ୍ର ନେତାଜୀ ସୁବାଷ ଚ଼ନ୍ଦ୍ର ବୋଷଙ୍କ ସ୍ବାଧିନତା ସଂଗ୍ରାମରେ ଭୂମିକା ଅତୁଳନୀୟ।୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ।


୧୯୩୯ରେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ ସୁଭାଷ ଚନ୍ଦ୍ର ବୋଷ। ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ। ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ। ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ।


ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ସୁଭାଷ। ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ।


ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ ସୁଭାଷ ବୋଷ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ। ଏହିପରି ଆହୁରି ଦେଶପ୍ରେମୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ଜବାହାର୍ ଲାଲ୍ ନେହେରୁ, ବାଲ ଗଙ୍ଗାଧର ତିଲକ, ପଣ୍ଡିତ ଗୋପବନ୍ଧୁ ଦାସ, ରମାଦେବୀ ଚ଼ୌଧୁରୀ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବାଜି ରାଉତ ଆହୁରି ଅନେକଙ୍କର ସ୍ବାଧିନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସ୍ବାଧିନତା ସଂଗ୍ରାମରେ ପାଇକ ବିଦ୍ରୋହ ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ପାଇକ ବିଦ୍ରୋହ ଓଡ଼ିଶା ରେ ଖୋର୍ଦ୍ଧା ଠାରେ ଆରମ୍ଭ ହୋଇଥିଲା।


୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ। ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା। ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ।

ଓଡ଼ିଶାକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ବାସକରି ସେ ଖୋରଧା ଅଞ୍ଚଳରେ ପାଇକ ଜାଗରଣର ଚେଷ୍ଟା କରିଥିଲେ। ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।


ପରବର୍ତ୍ତୀ ସମୟରେ ଇଂରେଜ ମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଇଲେ। ତା’ପରେ ୧୮୧୭ ମସିହାରେ ପାଇକ ବିଦ୍ରୋହର ଆରମ୍ଭ ହେଲା, ଏହାର ନେତୃତ୍ବ ନେଇଥିଲେ ସଂଗ୍ରାମୀ ବୀର ବିପ୍ଲବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ। ତାଙ୍କ ନେତୃତ୍ବରେ ଅନେକ ପାଇକ ଯୋଦ୍ଧା ଫିରିଙ୍ଗି ଶାସନ ବିରୁଦ୍ଧରେ ବିଦ୍ରୋହ କରିଥିଲେ।ପରବର୍ତ୍ତୀ ସମୟରେ ପିଣ୍ଡିକି ବାହୁବଳେନ୍ଦ୍ର, ମାଧବ ଚ଼ନ୍ଦ୍ର ରାଉତରାୟ ପାଇକ ବିଦ୍ରୋହରେ ନିଜକୁ ନିୟୋଜିତ କରି ସଂଗ୍ରାମ କରିଥିଲେ।


ପରବର୍ତ୍ତୀ ସମୟରେ ଅର୍ଥାତ ୧୮୩୬ ମସିହାରେ ବାଣପୁର ପଲଟଣ ପଡ଼ିଆରେ ପାଇକ ବିଦ୍ରୋହ ର ନାୟକ ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ବରେ ଅନେକ ପାଇକ ଯୋଦ୍ଧା ସଶତ୍ସ ସଂଗ୍ରାମ କରିଥିଲେ।


ଏହି ସଂଗ୍ରାମରେ ବିପ୍ଲବୀ ପାଟ୍ଟଶାଣୀ ଇଂରେଜ ସେନାଧ୍ୟକ୍ଷ ବେଲସାହେବଙ୍କୁ ପରାସ୍ତ କରି ବାଣପୁରକୁ ୩ ଦିନ ସ୍ବାଧିନତା ଦେଇଥିଲେ। ପରବର୍ତ୍ତୀ ସମୟରେ କିଛି କୁଚ଼କ୍ରୀ ଗୋଷ୍ଠୀ ଇଂରେଜ ସହ ହାତ ମିଶାଇ ବିପ୍ଲବୀ ପାଟ୍ଟଶାଣୀଙ୍କୁ ଧରାଇଦେଲେ, ଏବଂ ଇଂରେଜମାନେ ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କୁ ଆଣ୍ଡାମାନ ନେଇ ସେଠାରେ ବନ୍ଦୀ କରି ରଖିଲେ। ସ୍ବାଧିନତା ସଂଗ୍ରାମରେ ବିପ୍ଲବୀ ନେତା ପର୍ଶୁରାମ ହରିଚ଼ନ୍ଦନ ଙ୍କ ସମେତ ଆହୁରି ଅନେକ ଦେଶପ୍ରେମୀ ନିଜକୁ ନିୟୋଜିତ କରିଥିଲେ।


ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ୱାନ କ୍ରମେ ଦେଶ ଆଜାଦୀ ର ଅମୃତ ମହୋତ୍ସବ ପାଳନ କରୁଅଛି। ଆସନ୍ତୁ ସମସ୍ତେ ରାଷ୍ଟ୍ରୀୟ ଧ୍ଵଜ ଉଡାଇ ‘ତ୍ରିରଙ୍ଗା’କୁ ସମ୍ମାନ କରିବା। ଏହି ସ୍ବାଧିନତା ଦିବସରେ ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ୍। ଭାରତ ମାତା କି ଜୟ।

ଗମ୍ଭାରୀମୁଣ୍ଡା, ବାଣପୁର, ଖୋର୍ଦ୍ଧା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.