କନକ ନିଆଲ ହତ୍ୟା ଘଟଣାର ତାତି: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ

ଦୋଷୀଙ୍କୁ ଗିରଫ ଓ ସିବିଆଇ ତଦନ୍ତ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଥାନା ଘୋଟିଆ ଗ୍ରାମର ସ୍କୁଲ ଛାତ୍ରୀ କନକ ନିଆଲ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏହା ଅଗଷ୍ଟ ୧୬ ତାରିଖର ଘଟଣା । ପରିବାର ଲୋକେ ଅନେକ ଖୋଜା ଖୋଜି ପରେ ସ୍ଥାନୀୟ ଜଙ୍ଗଳରୁ ତାଙ୍କର ମୃତ ଦେହ ସ୍କୁଲ ଡ୍ରେସ ଓଢଣୀ ଫାସରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରି ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଗିରଫ କରି କୋର୍ଟ ଚଲାଣ କରିବା ଦାବିରେ ଯୁବ କଂଗ୍ରେସ, ଡ଼ମ୍ବ ସମାଜ ଓ ବହୁଜନ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ହୋଇଥିଲା । ଏହି ଘଟଣାରେ ପୋଲିସ ୩୦୬ ଦଫାରେ ଜଣଙ୍କୁ ଗତ ୨୨ ତାରିଖ ଦିନ ଜଣଙ୍କୁ କୋର୍ଟ ଚଲାଣ କରିଥିଲା । କିନ୍ତୁ ଏହି ଘଟଣାରେ ଅନେକ ଦୋଷୀ ଅଛନ୍ତି ଓ ଏହି ଘଟଣା ସିବିଆଇ ତଦନ୍ତ ତଥା କ୍ଷତିପୁରଣ ଦାବୀରେ ଆଜି ଗୋଲାମୁଣ୍ଡା ଥାନା ଘେରାଉ କରିବା ସହିତ ଏକ ପ୍ରତିବାଦ ସଭା କରିଛି କଳାହାଣ୍ଡି ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା । ଉକ୍ତ ଅବସରରେ ଉପସ୍ଥିତ ଥିବା ନେତା ଓ ନେତ୍ରୀମାନେ ବର୍ତ୍ତମାନ ସମୟରେ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି ଓ ନବୀନ ସରକାର ଏହି ସବୁକୁ ରୋକିବାରେ ବିଫଳ ହେବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଥିବାରୁ ଏଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି କହିଥିଲେ । ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଦୋଷୀଙ୍କୁ ଗିରଫ ଓ ସିବିଆଇ ତଦନ୍ତ ତଥା କ୍ଷତିପୂରଣ ଦାବୀରେ କଳାହାଣ୍ଡି ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗୋଲାମୁଣ୍ଡା ଥାନାରେ ଉପସ୍ଥିତ ଥିବା ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗଣେଶ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପ୍ରେସ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ପୂର୍ବତନ ସମ୍ପାଦକ ରୂପେଶ ଜୈନ, ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବୁଷଭ ନାଏକ, ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସମୀର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାଏକ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା କୁନ୍ତି ପାଳ, ଶୋଭାଙ୍ଗିନୀ ପାତ୍ର, ନମିତାରାଣୀ ସାହୁ, ପିଙ୍କି ସାହୁ, ରୀନା ଭାଟି, ସନ୍ତୋଷିନୀ ଦାସ, କାଞ୍ଚନ ବାଗ, ଚମ୍ପାବତୀ ସାହୁ, ଦିବ୍ୟାରାଣୀ ସାହୁ, ଶ୍ରଦ୍ଧାଞ୍ଜଳି ମାଝୀ, କେଶରୀ ବାଗଙ୍କ ସମେତ ଅନେକ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଘେରାଉ କାର୍ଯ୍ୟକ୍ରମରେ ମୃତ ଛାତ୍ରୀଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.