ବର୍ଷାରେ ଭାଙ୍ଗିଲା ଘର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତକାଲି ଅଗଷ୍ଟ ୨୪ ଅପରାହ୍ନ ଠାରୁ ରାତ୍ର ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଲଗାଣ ବର୍ଷା ହୋଇଥିଲା । ଏହି ଲଗାଣ ବର୍ଷାରେ କେଗାଁର ଦୁଇ ଜଣଙ୍କ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । କେଗାଁ ମାଲପଡ଼ାରେ ରହୁଥିବା ରାମ ଚରଣ ପୁଟେଲଙ୍କ ଘର ଗତକାଲି ରାତ୍ରରେ ଭାଙ୍ଗି ଯାଇଛି । ଏହି ସମୟରେ ତାଙ୍କର ପରିବାର ଘର ମଧ୍ୟରେ ଥିଲେ କିନ୍ତୁ କାହାର କିଛି କ୍ଷତି ହୋଇ ନାହିଁ । ଅପରକ୍ଷରେ ତାଙ୍କ ଘର ଭାଙ୍ଗିବା ଦ୍ୱାରା ତାଙ୍କ ଆସବାବପତ୍ର ଭଙ୍ଗା ଘର ତଳେ ଦବି ହୋଇ ରହିଯାଇଛି । ରାମ ଚରଣ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଦିନ ମଜୁରୀ କଲେ ତାଙ୍କ ପରିବାର ଚଳେ । ଠିକ ସେହିପରି ଗତକାଲି ରାତ୍ର ସମୟରେ ଲଗାଣ ବର୍ଷାରେ ପୋଲିସପଡା ଉଆଁସୁ ଛତ୍ରିଆଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଉଆଁସୁଙ୍କ ପକ୍ଷେ ଘର ଖଣ୍ଡିଏ କରିବାକୁ ସମ୍ଭଳ ନାହିଁ । ତାଙ୍କର ପରିବାର କହିଲେ ନିଜ ଭଉଣୀ ଓ ଭେଣେଇଙ୍କ ପାଖରେ ରହୁଛନ୍ତି । ଉଆଁସୁ ଗାଁ ଲୋକଙ୍କ ଗାଈ ଚରାଇ ଯାହା ପାଆନ୍ତି ସେଥିରେ ସେ ଚଳନ୍ତି । ତାଙ୍କ ଭଉଣୀ ଓ ଭେଣେଇ ମଧ୍ୟ ଦିନ ମଜୁରିଆ ଖଟିଖିଆ ଅଟନ୍ତି । ଏଣୁ ଏହି ଦୁଇ ଗରିବ ନିରୀହ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.