୪ଟି ଜୋନରେ ନିର୍ମାଣଧୀନ ଅବସ୍ଥାରେ ଲକ୍ଷାଧିକ ଲିଟର ସମ୍ପନ ଓଭରହେଡ଼ ଟ୍ୟାଙ୍କ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୂତନ ଜଳ ବିଶୋଧନଗାର କାର୍ଯ୍ୟକ୍ଷମ ହେଲେ ରାୟଗଡା ସହରବାସୀଙ୍କୁ ୨୪ ଘଂଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ। ତେବେ ନୂତନ ପ୍ଳାଂଟ କାର୍ଯ୍ୟକ୍ଷମ ନ ହେବା ଯାଏଁ ବର୍ଷା ଦିନ ଆସିଲେ ସହରବାସୀଙ୍କୁ କିଭଳି ଭାବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ପାରିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ରାୟଗଡାରେ ଗତ ତିନି ଚାରି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସହର ଉପକଣ୍ଠରେ ଝଂଜାବତୀ ନଦୀରେ ଗୋଳିଆ ପାଣି ପ୍ରବାହିତ ହେଉଛି। ଆଉ ଏହି ନଦୀର ପାଣିକୁ ବିଶୋଧନ କରି ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ତତ୍ପରତା ଦେଖାଇ ଆସୁଛି ଜନସ୍ୱାସ୍ଥ୍ୟ ବିଭାଗ। ସାଧାରଣତଃ ନଦୀର ଜଳରେ ୧୦ ଏନଟିୟୁ ଅଂଶ ରହିବା ବେଳେ ବର୍ତମାନ ବର୍ଷା ଯୋଗୁଁ ନଦୀର ଜଳରେ ୧୭ ରୁ ୧୮ଏନଟିୟୁ ଅଂଶ ରହୁଥିବାରୁ ପାଣି ଅଧିକ ଗୋଳିଆ ରହୁଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି।
ଦିନକୁ ଦିନ ରାୟଗଡା ସହରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ନିମିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଆସୁଛି। ଏହି କ୍ରମରେ ଗତବର୍ଷ ୨୦୨୨ ମସିହାରୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ସହରବାସୀଙ୍କୁ ୨୪ ଘଂଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ ବୋଲି ବିଭାଗୀୟ କର୍ତୁପକ୍ଷ ପ୍ରକାଶ କରିଛନ୍ତି। ବର୍ତମାନ ରାୟଗଡା ପୈାରାଂଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇ ଆବଶ୍ୟକ ପଡୁଥିବା ଦୈନିକ ୧୩୫ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨ଟି ୭ ଲକ୍ଷ ଲିଟର ଲେଖାଁଏ ଏବଂ ଅନ୍ୟଟି ୧୪ଲକ୍ଷ ଲିଟର ଜଳ ବିଶୋଧନ ପ୍ଳାଂଟରୁ ସହରବାସୀଙ୍କୁ ଦୈନିକ ସକାଳ ଓ ସଂଧ୍ୟା ସମୟରେ ୩ଟି ପ୍ଲାଣ୍ଟ ରୁ ୨୮ ଲକ୍ଷ ଲିଟର ଲେଖାଁଏ ୫୬ ଲକ୍ଷ ଲିଟର ପାଣି ଯୋଗାଣ କରାଯାଉଥିବା ନେଇ ବିଭାଗ କହୁଛି। ରାୟଗଡା ସହରାଂଚଳରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିନରେ ୧୮ ହଜାର ଘର ସଂଖ୍ୟା ମଧ୍ୟରେ ୧୨୨୦୦ଜଣ ଉପଭୋକ୍ତା ରହିଛନ୍ତି। ଅନ୍ୟ ୬ହଜାର ଘରରେ ନିଜସ୍ୱ ବୋରୱେଲ ଖନନ କରାଯାଇଛି।
ରିଙ୍ଗ ରୋଡ ସ୍ଥିତ ମା ମଙ୍ଗଳା ମନ୍ଦିର ଅଂଳଚରେ ଏବଂ କସ୍ତୁରୀ ନଗର ଅଂଚଳରେ ୨ ଲକ୍ଷ ଲିଟର ଲେଖାଁଏ କ୍ଷମତା ବହନ କରିପାରୁଥିବା ଓଭରହେଡ୍ ଟ୍ୟାଙ୍କ୍ ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ସାଇପ୍ରିୟା ନଗରରେ ୧.୫ଲକ୍ଷ ଲିଟର, ଅଶୋକ ନଗରରେ ୨ଲକ୍ଷ ଲିଟର, ନେହୁରୁ ନଗରରେ ୫.୫୦ ଲକ୍ଷ ଲିଟର ଏବଂ ରାଣୀଗୁଡା ଫାର୍ମ ଭଳି ଅଂଚଳରେ ସର୍ବାଧିକ ୧୦ଲକ୍ଷ ଲିଟର ବିଶିଷ୍ଠ ଓଭରହେଡ୍ ଟ୍ୟାଙ୍କ ମାଧ୍ୟମରେ ଏହି ୪ଟି ଜୋନର ଉପଭୋକ୍ତାଙ୍କୁ ୧୯ଲକ୍ଷ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ପାଣି ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବିଭାଗୀୟ କର୍ତୁପକ୍ଷ ସୂଚନା ପ୍ରଦାନ କରିଛନ୍ତି। ତେବେ ବର୍ଷା ଦିନ ହୋଇଥିବାରୁ ପୁରୁଣା ଜଳ ବିଶୋଧନଗାରରେ ଆବଶ୍ୟକ ମୁତାବକ ଜଳ ବିଶୋଧନ ହୋଇ ପାରୁ ନ ଥିବା ବେଳେ ନତୂନ ପ୍ଳାଂଟ କାର୍ଯ୍ୟକ୍ଷମ ହେବା ପରେ ବର୍ଷାଦିନେ ଉପଭୋକ୍ତାଙ୍କୁ ଆଉ ଗୋଳିଆ ପାଣି ଯୋଗାଣ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ବୋଲି ବିଭାଗୀୟ କର୍ତୁପକ୍ଷ ସୂଚନା ପ୍ରଦାନ କରିଛନ୍ତି।