ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଓ କୋଦଳା ପୋଲିସର ଏକ ଟିମ ଚଢ଼ାଉ କରି ୩ ଜଣ ଆନ୍ତଃଜିଲ୍ଲା କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠରୁ ଏକ ପିସ୍ତଲ, ୧୦ ଗୋଟି ଜୀବନ୍ତ ଗୁଳି ଓ ୬ ଗୋଟି ଅଫୁଟା ବୋମା ଜବତ କରିଥିବା ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପୋଲିସ ପ୍ରକାଶ କରିଛି। ଗତ ୨୦ ତାରିଖ ଦିନ କୋଦଳା ଥାନା ଅନ୍ତର୍ଗତ କାଞ୍ଚନା ଗ୍ରାମର ଥିବା କୁକୁଡ଼ା ଫାର୍ମ ମାଲିକଙ୍କୁ ଦାଦା ବଟି ମାଗିବା ଘଟଣାରେ ଗିରଫ ହୋଇଥିବା ଅପରାଧୀଙ୍କ ଜେରା ପରେ ମିଳିଥିବା ତଥ୍ୟ ଅନୁଯାୟୀ ପୋଲିସ ପଶ୍ଚିମବଙ୍ଗରୁ ବୀରଭୂମି ଗସ୍ତ କରି ମାଷ୍ଟର ମାଇଁଣ୍ଡ ଖଲ୍ଲିକୋଟ ଥାନା ମାଣିକପୁର ଗ୍ରାମର ପ୍ଲାଷ୍ଟିକର କୁତ୍ରିମ ଗୋଡ ଲଗାଇଥିବା ଅପରାଧୀ ବିଭୁ ଜେନା, ଏହି ଥାନା ବାଟ ବ୍ରହ୍ମପୁର ଗ୍ରାମର ରମ୍ପଲ, କୋଦଳା ଥାନା ଅନ୍ତର୍ଗତ ଭଳିଆଝର ଗ୍ରାମର ସଞ୍ଜୟ ବାରିକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଉକ୍ତ କୁଖ୍ୟାତ ଅପରାଧୀମାନେ ନରହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଓ ରାହାଜାନୀ ଭଳି ବହୁ ସ୍ପର୍ଶକାତର ଅପରାଧ ଘଟଇଥିବା ପୋଲିସ ପ୍ରକାଶ କରିଛି। ଉକ୍ତ ଅପରାଧୀମାନେ ସୁପାରୀ ନେଇ କୌଣସି ଏକ ଲୋକଙ୍କୁ ହତ୍ୟା କରିବା ପାଇ ଉଦ୍ୟମ କରୁଥିବା ଏବଂ ପୋଲିସ ଏଥିରେ ବାଧା ଦେଲେ ପୋଲିସକୁ ଟାର୍ଗେଟ କରାଯିବା କଥା ପୋଲିସ ଜେରା ବେଳେ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଓ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପ୍ରମୁଖ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଅପରାଧୀମାନଙ୍କୁ ମାଣିକପୁର ଓ ଖଲ୍ଲିକୋଟ ସହରକୁ ନେଉ ଡେମୋ ପ୍ରଦର୍ଶନ କରିଥିବା ପ୍ରକାଶ। କୁଖ୍ୟାତ ଅପରାଧୀ ବିଭୁ ଜେନା ଓ ତାର ସହଯୋଗୀଙ୍କ ନାମରେ ଭୁବେନେଶ୍ୱରର ବିଭିନ୍ନ ଥାନା, ଝାରସୁଗୁଡା, କୋଦଳା, ଖଲ୍ଲିକୋଟ ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାମାନଙ୍କରେ ସଂଗୀନ ମାମଲା ଥିବା ବେଳେ ସୁମଣ୍ଡଳ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂତ୍ରରୁ ଜଣାପଡିଛି।