ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଶନିବାର ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କ୍ରମରେ କୋକସରା ବ୍ଲକ ଏୟୁପିଟିଏଫ୍ ଶିକ୍ଷକ ସଂଘର ସଭାପତି ଭୁରିସ୍ରବା ଜାଲଙ୍କ ତତ୍ବାବଧାନରେ ଆଜି ସ୍ଥାନୀୟ କଲେଜ ଛକ ନିକଟରୁ ବ୍ଳକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏହାପରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନେତାମଙ୍କ ଜରିଆରେ ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା, ଏକ୍ସ କ୍ୟାଡର ଶିକ୍ଷକ, କଲା ଓ ଖେଳ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ। ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ, ମୂଳ ବେତନ ସ୍ତରରେ ୯ ଗ୍ରେଡପେ ରେ ୪ ହଜାର ୨ ଶହ ଅନୁଯାୟୀ ପ୍ରଦାନ କରାଯାଉ। ନୂତନ ପେନସନ୍ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ। ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ ଆଦି ଦାବି ଗୁଡ଼ିକ ରହିଛି। ତେବେ ଆସନ୍ତା ୧୬ ତାରିଖ ମଧ୍ୟରେ ଉକ୍ତ ଦାବି ଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯିବାପାଇଁ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସତ୍ୟବାନ ପାଣିଗ୍ରାହୀ, ବୈକୁଣ୍ଠ ଜାଲ, ବୀର କିଶୋର ନାଗ, ସୁଭାଷ ଚନ୍ଦ୍ର ବାଗ, ମଦନ ଲାଲ୍ ନାଏକ, ଅଜିତ ସାହୁ, ରଶ୍ମିତା ଦାସ, ଯଶୋଦା ବାଗ, ଗୀତାଞ୍ଜଳୀ ପୁଝାରୀ ସମେତ ବ୍ଳକର କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।