ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ ଯେଉଁଭଳି ନବୀନଙ୍କ ହାତ ଧରି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ କରି ନୁହେଁ ତାଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ଦିଲ୍ଲୀରେ ବସିଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ନେତାଙ୍କୁ; ଯେତେବେଳେ କି ଆସନ୍ତା ସପ୍ତାହରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଯାଉଛି। ଆଉ ନିର୍ବାଚନ ପରେ କେଉଁ ମେଣ୍ଟରେ ରହିବେ ବା ସମର୍ଥନ ଜଣାଇବେ ନବୀନ ସେନେଇ ତର୍କ ଚାଲିଛି।

ଆସନ୍ତା ସପ୍ତାହରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଯାଉଛି। ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି କହି ସାରିଛି ବିଜେଡି। ଯାହାକି ବିରୋଧୀଙ୍କ ଆଶାରେ ପାଣି ପକାଇଛି। କାରଣ ଓଡିଶାରେ ବିଜେଡି-ବିଜେପି ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଯାହାକୁ ଦିଲ୍ଲୀରୁ ଦେଖି ବେଶ ଖୁସି ହୋଇଯାଇଥିଲେ ବିରୋଧୀ ଇଣ୍ଡିଆ ମେଣ୍ଟର ନେତା। ଅନ୍ୟପଟେ ଲୋକସଭାରେ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଦଳର ଆଭିମୁଖ୍ୟ ସ୍ପଷ୍ଚ କରିବାକୁ ଯାଇ କହିଥିଲେ, ରାଜ୍ୟରେ ବିଜେପି ତାଙ୍କ ଦଳର ପ୍ରମୁଖ ବିରୋଧୀ। ତାଙ୍କ ଦଳର ଆଭିମୁଖ୍ୟ ଦେଶର ସ୍ବାର୍ଥ ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଦେଖି ଦଳର ସୁପ୍ରିମୋ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

କିନ୍ତୁ ଯେଉଁ ଦଳ ପ୍ରମୁଖ ବିରୋଧୀ ବୋଲି ବିଜେଡି କହୁଛି ଆଉ ସେହି ଦଳର ଚାଣକ୍ୟ କୁହାଯାଉଥିବା ଶାହଙ୍କ ସହ ନବୀନ ସରକାରୀ କାର୍ଯ୍ୟକ୍ରମ ପରେ ରୁଦ୍ଧଦ୍ବାର ବୈଠକ କରିବା ଅନେକଙ୍କ ଚିନ୍ତା ବଢାଇଛି। ଆଉ ଏହି ରୁଦ୍ଧଦ୍ବାରା ବୈଠକ ୨୦୨୪ ସାଧାରଣ ନିର୍ବାଚନର ପରବର୍ତୀ ସ୍ଥିତିକୁ ଦେଖି ହୋଇଛି ବୋଲି କୁହାଯାଉଛି। ଯେଉଁଥିରେ ଆବଶ୍ୟକ ପଡିଲେ ବିଜେଡି ମେଣ୍ଟ ସରକାରରେ ସାମିଲ ହେବ ନହେଲେ ବାହାରୁ ରହି ସମର୍ଥନ ଦେବ।

ଉଲ୍ଲେଖଯୋଗ୍ୟ, ନିକଟରେ ନବୀନ ନିବାସକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଗ ପଛ ହୋଇ ଆସିଥିଲେ। ଯଦିଓ ଦୁଇ ନେତାଙ୍କ ଗସ୍ତ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ନେତା କହିଥିଲେ କିନ୍ତୁ ରାଜନୀତିରେ ନବୀନଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ଏହି ସୌଜନ୍ୟ ସାକ୍ଷାତକୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଳ କରିଥିଲେ ବୋଲି କୁହାଯାଏ। ଯେଉଁଥିପାଇଁ ନିକଟରେ ଟିଏମସି କହିଥିଲା, ନବୀନ ମୋଦୀଙ୍କ ସହ ରହିଛନ୍ତି। ଉଭୟ ନେତାଙ୍କ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ।

ବିରୋଧୀ ଏକାଠ ହେବା ଏବଂ ୯ ବର୍ଷ ଧରି ମୋଦୀ କ୍ଷମତାରେ ରହିବା ପରେ ଏକ ପ୍ରକାର ସରକାର ବିରୋଧୀ ହାଓ୍ବା ଲୋକଙ୍କ ମନରେ ରହିଛି। ଦରଦାମ ବୃଦ୍ଧି, ବେକାରୀ ଭଳି ପ୍ରସଙ୍ଗ ଏହି ଅସନ୍ତୋଷର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏପରି ସ୍ଥିତିରେ ୨୪ ନିର୍ବାଚନରେ ମୋଦୀଙ୍କର ୨୦୧୪, ୧୦୧୯ର ଚମକ ରହିନପାରେ। ଏପରି ସ୍ଥିତିରେ ବିଜେପି ନେତ୍ୱତାଧୀନ ଏନଡିଏର ବୈଠକ ବସିଥିଲା ଦୀର୍ଘ ବର୍ଷ ପରେ। ସେହିପରି ବିରୋଧୀ ମେଣ୍ଟର ପ୍ରମୁଖ ଦଳ କଂଗ୍ରେସର ସ୍ଥିତି, ହିନ୍ଦୀ ହାର୍ଟବେଲ୍ଟ  ଓ ମେଣ୍ଟର ଥିବା ବିଭିନ୍ନ ଦଳ ନିଜ ନିଜ ରାଜ୍ୟରେ ସୀମିତ ଥିବାରୁ କେନ୍ଦ୍ରରେ ସରକାର ଗଢିବା ମଧ୍ୟ ଏତେ ସହଜ ନୁହେଁ। ଏପରି ସ୍ଥିତିରେ ବିଜେଡି ଓ ଓ୍ବାଇଏସଆର କଂଗ୍ରେସ ( ଏହି ଦଳର ସାଂସଦ ସଂଖ୍ୟା ସଂସଦରେ ଅନ୍ୟ ବିରୋଧୀ ଦଳ ତୁଳନାରେ ଢେର ଅଧିକ) ଭଳି ଦଳଙ୍କୁ ଇଣ୍ଡିଆ ମେଣ୍ଟରେ ସାମିଲ କରିବାକୁ ବିରୋଧୀ ଗୋଟି ଚଳାଉଥିଲେ। ଯଦିଓ ନବୀନ ସମଦୂରତା କଥା କହି ମେଣ୍ଟରୁ ନିଜକୁ ଦୂରେଇ ରଖୁଥିଲେ ଏବେ କିନ୍ତୁ ନବୀନ ଓ ମୋଦୀଙ୍କ ମଧ୍ୟରେ ବଢୁଥିବା ନିବିଡତା ବିରୋଧୀଙ୍କୁ ଚିନ୍ତାରେ ପକାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.