ନେହରୁ ଟ୍ରଫି ବୋଟ୍ ରେସ୍ ପାଇଁ ବଡ଼ ଆୟୋଜନ, ଉତ୍ସବମୁଖର ପୁନ୍ନାମଡା ହ୍ରଦ

ଓଡ଼ିଆ ବାର୍ତ୍ତା/ ଥିରୁଭାନନ୍ତପୁରମ: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଆଇକନିକ୍ ନେହେରୁ ଟ୍ରଫି ବୋଟ୍ ରେସ୍ (NBTR)। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବୋଟ୍ ରେସ୍ ନେଇ କେରଳର ଅଲାପ୍ପୁଝା ନିକଟ ପୁନ୍ନାମଡା ହ୍ରଦରେ ବଡ଼ ଆୟୋଜନ କରାଯାଇଛି। ନେହେରୁ ଟ୍ରଫି ବୋଟ୍ ରେସ୍ ହେଉଛି କେରଳର ସବୁଠାରୁ ଲୋକପ୍ରିୟ ସ୍ନେକ୍‌ ବୋଟ୍‌ ରେସ୍‌। ଏହା ପ୍ରତିବର୍ଷ ଅଗଷ୍ଟ ଦ୍ୱିତୀୟ ଶନିବାର ଦିନ କେରଳର ପୁନ୍ନାମଡା ହ୍ରଦରେ ଅନୁଷ୍ଠିତ ହୁଏ।

ଚଳିତ ଥର ୭୨ଟି ଡଙ୍ଗା ଏହି ପ୍ରତିଯୋଗିତାରେ ଭାଗ ନେବ। ସେଥିମଧ୍ୟରୁ ରହିଛି ୧୯ଟି ସାପ ଆକୃତିର ଡଙ୍ଗା। ୯ଟି ବର୍ଗରେ ଲୋଭନୀୟ ରୂପା ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ସମସ୍ତ ଡଙ୍ଗା। ଏଥିର ସ୍ନେକ୍‌ ବୋଟରେ ୯୫ ଜଣ ନୌକା-ଚାଳକ ରହିବେ। ପ୍ରତିଯୋଗିତା ପାଇଁ ଏକ ଟ୍ରାକ ପ୍ରସ୍ତୁତ କରାଯାଇଛି। ଏହାର ଲମ୍ବ ପ୍ରାୟ ୧୪୦୦ ମିଟର ଏବଂ ପୂର୍ବରୁ ଚାରିଟି ୧୦ ମିଟର ଚଉଡା ଟ୍ରାକ୍ ରହିଛି। ଚୁଣ୍ଡନ ଭଲ୍ଲମ ପ୍ରତିଯୋଗିତା ପାଇଁ ସର୍ବାଧିକ ଦର୍ଶକଙ୍କ ଆଗ୍ରହ ଥିବା ଜଣାପଡିଛି। ସାପ ଡଙ୍ଗା ବର୍ଗରେ ପାଞ୍ଚଟି ନିର୍ଦ୍ଧାରିତ ସମୟର ବ୍ୟବସ୍ଥା କରାଯାଇଛି। ଏହି ସମୟ ଅନୁଯାୟୀ ନିର୍ଦ୍ଦିଷ୍ଟ ୪ଟି ଡଙ୍ଗା ଫାଇନାଲକୁ ଉନ୍ନୀତ ହେବ। ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୨,୦୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଏହି ନୌକା-ଚାଳନା ପ୍ରତିଯୋଗିତାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ନାମିତ କରାଯାଇଛି ଏବଂ ଏହା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି। ୧୯୫୨ ମସିହାରେ ଯେତେବେଳେ ନେହେରୁ କେରଳ ଗସ୍ତ କରିଥିଲେ, ସେତେବେଳେ ସେ ସାପ ଆକୃତିର ଏକ ଡଙ୍ଗାର ସୁନ୍ଦର ଦୃଶ୍ୟ ଦେଖିଥିଲେ। ଏହାସହ କିଛି ନୌକା ଚାଳକ ଉଭୟ ପାର୍ଶ୍ୱରେ ବସି ସଙ୍ଗୀତ ଗାନ କରୁଥିବା ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ। ଏହି ଦୃଶ୍ୟ ଦେଖି ନେହେରୁ ନିଜର ଉତ୍ସାହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ସେ ନିଜ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ନିଜେ ଏହି ଡଙ୍ଗାରେ ଚଢିଗଲେ।

ସର୍ପାକାର ଡଙ୍ଗା ପ୍ରତି ତାଙ୍କର ପ୍ରେମକୁ ସମ୍ମାନ ଦେବା ପାଇଁ ପଣ୍ଡିତ ନେହେରୁଙ୍କ ନାମରେ ବୋଟ୍ ରେସ୍‌ର ନାମକରଣ କରାଯାଇଥିଲା। ପ୍ରତିବର୍ଷ ଏହି ପ୍ରତିଯୋଗିତାର ବିଜେତା ଦଳକୁ ‘ନେହେରୁ ଟ୍ରଫି’ ନାମରେ ଏକ ଟ୍ରଫି ପ୍ରଦାନ କରାଯାଇଥାଏ। ବୋଟ୍ ରେସ୍ ସମୟରେ ପୁନ୍ନାମଡା ହ୍ରଦ ଏବଂ ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇପଡେ। ଏହି ସୁନ୍ଦର ସାପ ଆକୃତିର ଡଙ୍ଗା, ରଙ୍ଗୀନ ଜଳର ଭାସମାନ ସୁନ୍ଦର ହ୍ରଦର ଶୋଭା ଆହୁରୀ ବଢାଇଦିଏ। ପ୍ରତିବର୍ଷ ଭାରତ ଏବଂ ବିଦେଶରୁ ଦୁଇ ଲକ୍ଷରୁ ଅଧିକ ଦର୍ଶକ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଆସନ୍ତି।

ବିଭିନ୍ନ ପ୍ରକାରର ଡଙ୍ଗା ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ତେବେ, ସବୁଠାରୁ ଲୋକପ୍ରିୟ ହେଉଛି କେରଳ ସାପ ଆକୃତିର ଡଙ୍ଗା, ଯାହା ସ୍ଥାନୀୟ ଭାବରେ ଚୁଣ୍ଡନ ଭଲ୍ଲମ ଭାବରେ ଜଣାଶୁଣା। ଏଥିରେ ୧୦୦ ଜଣ ନୌକା ଚାଳକ ଉଭୟ ପାର୍ଶ୍ୱରେ ବସି ଡଙ୍ଗାକୁ ଏକତ୍ର ଚଳାନ୍ତି। ଏହି ଦୃଶ୍ୟ ପ୍ରକୃତରେ ଦେଖିବା ଯୋଗ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.