ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ଧାରାରେ ଆଗେଇ ଚାଲିଛି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ୭୭ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ସମବାୟ ଓ ଉଚ୍ଚଶିକ୍ଷା ବିଭାଗୀୟ ମାନ୍ୟବର ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ୯ଘଂଟା ୧୫ମିନିଟ୍ ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରି ସମ୍ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଦେଶକୁ ସ୍ୱାଧୀନତା ଆଣିବାରେ ବଳିଦାନ ଦେଇଥିବା ମହାପୁରୁଷ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ରାଜ୍ୟ ଆଜି ବିକାଶର ଶୀର୍ଷ ଛୁଇଁବାକୁ ଲାଗିଛି । ସମୟବାୟ କ୍ଷେତ୍ରରେ ଚାଷୀ ଉପକୃତ ହେଉଥିବା ବେଳେ ଗ୍ରାମୀଣ ଓଡିଶାକୁ ରୂପାନ୍ତରିଣ କରିବା ପାଇଁ ଓଡିଶାର ସଂସ୍କୃତି ଓ ଐତିହ୍ୟ ବଜାୟ ରଖିବା ପାଇଁ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ର ଆମ ଓଡିଶା ନବୀନ ଓଡିଶା ଯୋଜନା କାର୍ଯ୍ୟକ୍ରମର ଅନୁମୋଦନ ସହ ମୋ ଘର ଯୋଜନାରେ ଋଣ ପ୍ରଦାନ,ମୋ ଜଙ୍ଗଲ ଜମି ଯୋଜନା,ବିଜୁ ସେତୁ,ବିଜୁ ଏକ୍ସପ୍ରେସ୍ ଭଳି ଶିକ୍ଷା କ୍ଷେତ୍ରରେ ୫ଟି ଅଧିନରେ ସମସ୍ତ ବିଦ୍ୟାଳୟର ରୂପାନ୍ତରଣ, ମଧୁବାବୁ ପେନସନ ଯୋଜନା ସମେତ ସରକାରଙ୍କ ଅନ୍ୟ ସବୁ ବହୁ ଲୋକାଭିମୁଖୀ ଯୋଜନାରେ ରାଜ୍ୟ ବିକାଶ ଧାରାରେ ଆଗେଇ ଚାଲିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରକାଶ କରିଥିଲେ । ପ୍ୟାରେଡ କମାଣ୍ଡରଙ୍କ ନେତୃତ୍ୱରେ ୨୯ଟି ଦଳ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ ।

ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଜିଲ୍ଳାର ନାମକୁ ଗୈାରବାନ୍ୱିତ କରିବାରେ ଉଲ୍ଳେଖନୀୟ ଅବଦାନ ପାଇଁ ୯ଜଣଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଦିବସ ପାଳନ ଅବସରରେ ଅନୁଷ୍ଠିତ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା, ହିନ୍ଦି ବକୃତା ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ଓ ଇଂରାଜୀ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ପୁରସ୍କାର ବିତରଣ କରିଥିଲେ । ଜିଲ୍ଳାପାଳ ସ୍ୱଧାଦେବ ସିଂ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର,ଉପଜିଲ୍ଳାପାଳ ଭୀମସେନ୍ ଶବର,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିଥିଲେ । ରାୟଗଡା ଜିଲ୍ଳା ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 
                                        
 
 
         
 
         
 
         
 
        


