ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ନାର୍ଯ୍ୟ ଦାବୀ ପୂରଣ ନହେବାରୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନ କ୍ରମେ ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତର ପିଇଓମାନେ ଗତ ୧୮ ତାରିଖରୁ ସାମୁହିକ ଛୁଟିରେ ରହିଛନ୍ତି । ତେଣୁ ସମସ୍ତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଲୋକେ ପଞ୍ଚାୟତକୁ ଆସୁଥିବା ବେଳେ ତାଲା ପଡ଼ିଥିବାରୁ ନିରାଶ ହୋଇ ଘରକୁ ଫେରୁଥିବା ଦେଖାଦେଇଛି । ପ୍ରକାଶ ଯେ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଯୋଗ୍ୟତା +୨ ରୁ +୩ କୁ ବୃଦ୍ଧି କରିବା, ଦରମା ହାର ସ୍କେଲ ପେ ଲେବେଲ ୫ ରୁ ଲେବେଲ ୯ କୁ ବୃଦ୍ଧି କରିବା, ୧୦ ବର୍ଷ ଚାକିରୀ କରିଥିବା ପିଇଓମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି କରିବା ଇତ୍ୟାଦି ଦାବୀଗୁଡିକ ଉଲ୍ଲେଖ ରହିଥିଲା l ଏ ନେଇ ପିଇଓମାନେ ୭ ତାରିଖରୁ ପ୍ରତିବାଦ ସ୍ୱରୂପ କଳାବ୍ୟାଚ ପରିଧାନ କରିଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ତୁଳାଇଥିଲେ କିନ୍ତୁ ସରକାର କୋଣସି କଥା ନ ଶୁଣିବାରୁ ଗତ ୧୮ ତାରିଖରୁ ସାମୁହିକ ଛୁଟିରେ ରହିଛନ୍ତି l ଯାହାଫଳରେ ପଞ୍ଚାୟତଗୁଡିକର ଉନ୍ନୟନ କାଯ୍ୟଗୁଡିକ ଠପ ହୋଇପଡିଛି l ଏହି ସମୟରେ ସଂଘ ସଭାପତି ସତ୍ୟପ୍ରିୟ ସାହୁ, ସମ୍ପାଦକ ଖଗେଶ୍ୱର କମ୍ପ, କୋଷାଧ୍ୟକ୍ଷ ରୁଦ୍ରଧର ବାଗ, ପଦ୍ମକାନ୍ତ ପାଣିଗ୍ରାହୀ, ରହିମ ପ୍ରଧାନ, ଅକ୍ଷୟ ମହାନ୍ତି, ସଞ୍ଜୟ ମହାନନ୍ଦ, କୁଞ୍ଜ ବିହାରୀ ପଟେଲ, ଭୀଷ୍ମ କୁମ୍ଭାର, ଦୁଃଖବନ୍ଧୁ ରଣା ଓ ଶରତ ସାହୁ ପ୍ରମୁଖ ଛୁଟିରେ ରହିଛନ୍ତି l ସରକାର ତୁରନ୍ତ ଦାବୀଗୁଡିକ ସମାଧାନ କରିବା ପାଇଁ ସଂଘ ତରଫରୁ ଦାବୀ ହୋଇଛି ।