ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କାଇନ୍ତରା ଗ୍ରାମରେ ୨ କୋଟି ୯୧ ଲକ୍ଷଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାର୍କେଟ ୟାର୍ଡ ବର୍ଷେ ନପୂରୁଣୁ ସେଠାକାର ପାଚେରୀ ଭୁଷୁଡି ପଡିଛି। ସରକାରକା ମାଲ୍ ଦରିଆ ମେ ଡାଲ ଭଳି ଏବେ ପାଣିରେ ପଡ଼ିଲା ୨ କୋଟି ୯୦ ଲକ୍ଷ ଟଙ୍କା ର କୋଠା । ନିର୍ମାଣ କାମ ଠିକରେ ହୋଇ ନଥିଲା କି ? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ଏପରି ଅଭିଯୋଗ ଲୋକଙ୍କ ମନରେ ଉଙ୍କି ମାରୁଛି । ନିମ୍ନମାନର ନିର୍ମାଣ କାମ ଯୋଗୁଁ କାମ ସଂପୂର୍ଣ୍ଣ ହେବା ଆଗରୁ ଭୁଶୁଡ଼ିଲା ମାର୍କେଟ ୟାର୍ଡ ର ପାଚେରି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ୨ କୋଟି ୯୦ ଲକ୍ଷ ଟଙ୍କାର ଏତେ ବଡ଼ ପ୍ରୋଜେକ୍ଟରେ ଏମିତି କିଭଳି ହୋଇଥିଲା ନିମ୍ନମାନର କାମ, ତାକୁ ନେଇ ପ୍ରଶ୍ନ ଉଠିଛି । ଚାଷୀଙ୍କ ସୁବିଧା ପାଇଁ ୮ ମାସ ତଳେ ବିନିକା କଇଁତରା ଗାଁରେ ନିର୍ମାଣ ହୋଇଥିଲା ନିୟନ୍ତ୍ରିତ ବଜାର କମିଟି । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୨ କୋଟି ୯୧ ଲକ୍ଷ ଟଙ୍କା। ହେଲେ ଉଦଘାଟନର ମାତ୍ର ୮ ମାସ ଭିତରେ ଭାଙ୍ଗି ଚୁରମାର ହୋଇ ଯାଇଛି ବାଉଣ୍ଡରି ୱାଲ । ରାଗରେ ଗରଗର ଅଞ୍ଚଳର ଶହ ଶହ ଚାଷୀ । ପାଚେରି ଭାଙ୍ଗି ଯାଇଥିବାରୁ ଚାଷୀମାନେ ଏଠାକୁ ଧାନ ବିକ୍ରି ପାଇଁ ଆଣିଲେ ଚୋରି ହେବାର ସମ୍ଭାବନା ରହିଥିବା କହିଛନ୍ତି ।
୨ କୋଟି ୯୧ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ଏହି ମାର୍କେଟ ୟାର୍ଡ। ଏତେ ବଡ଼ କାମରେ କେମିତି ଭୁଶୁଡିଲା ପାଚେରି ? କାମ ଠିକରେ ହୋଇନଥିଲା କି? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି। ଠିକାଦାର, ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଉପର ଠାଉରିଆ କାମ ହୋଇଥିବାରୁ ଏମିତି ହେଲା, ଯାହାର ତଦନ୍ତ କରାଯିବାକୁ ଅଞ୍ଚଳ ବାସିଦାବି କରିଛନ୍ତି । କେବଳ ନିୟନ୍ତ୍ରିତ ବଜାର କମିଟି ପାଚେରି ନୁହେଁ, ବାଉଁଶୁଣି ଠାରେ ଗ୍ରାମୀଣ ପାର୍କର ପାଚେରି କାମରେ ବି ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରିହୋଇ ପଡ଼ୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ପାର୍କ କାମ ନସରୁଣୁ ଭୁଶୁଡ଼ି ପଡିଛି ପାଚେରି । ବିନିକା ବ୍ଲକ ବାଉଁଶୁଣି ପଞ୍ଚାୟତ ବାଉଁଶୁଣି ଗାଁରେ ଚାଲିଛି ଏକ ଗ୍ରାମୀଣ ପାର୍କ । ଏମଜିଏନଆରଇଜିଏସ ଫଣ୍ଡରୁ ୮ ଲକ୍ଷ ୮୦ ହଜାର ଟଙ୍କା ଏଷ୍ଟିମେଟରେ ପାର୍କ କାମ ନିର୍ମାଣ ହେଉଥିଲା ସେଥିରୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୩୦ ହଜାର ଟଙ୍କା ବିଲ୍ ଉଠା ସରିଲାଣି ଏ ଭିତରେ ହେଲେ କାମ ସମ୍ପୂର୍ଣ୍ଣ ହୋଇନି । ଏଠି ବି ନିମ୍ନମାନର କାମ ଯୋଗୁଁ ବର୍ଷାରେ ପାଚେରି ଭୁଶୁଡ଼ି ପଡିଛି । ପାର୍କ ହେଲେ ଛୋଟଠୁ ବଡ଼ ସମସ୍ତେ ଏଠାରେ ଖେଳାବୁଲା କରିବେ ବୋଲି ଆଶା ରଖିଥିଲେ ଗ୍ରାମବାସୀ । ହେଲେ ପାର୍କ ସରିବା ପୂର୍ବରୁ ପାଚେରି ଧସି ଯାଇଥିବାରୁ ଗ୍ରାମବାସୀ ବାରିଛନ୍ତି ଦୁର୍ନୀତିର ଗନ୍ଧ । ଏପରିକି ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ କେତେ ଟଙ୍କାର କାମ, ସେନେଇ କୌଣସି ସୂଚନା ଫଳକ ମଧ୍ୟ ଲଗା ଯାଇନାହିଁ । ତେବେ ଏନେଇ ବାଉଁଶୁଣି ପଞ୍ଚାୟତ ପିଇଓଙ୍କୁ ପଚାରିବାରୁ ସେ କହିଛନ୍ତି, ବିଡିଓଙ୍କୁ ଅବଗତ କରାଯାଇଛି, ପଦକ୍ଷେପ ନିଆଯିବ । ମାର୍କେଟ ୟାର୍ଡ ଓ ପାର୍କ ପାଚେରି ଭାଙ୍ଗି ଚୁରମାର ହେବା ପରେ ଗୋଟିଏ କଥା ସ୍ପଷ୍ଟଯେ ଏଠାରେ ଠିକାଦାର, ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟକୁ ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ଯୋଗୁଁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିବା ସହ ଜିଲ୍ଲାପାଳଙ୍କୁ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି ।