ଓଡ଼ିଆ ବାର୍ତ୍ତା/ କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ପ୍ରଭାବ ସ୍ୱରୂପ ଉଜ୍ଦଳା ଯୋଜନାରେ ଏଲପିଜି ଦର ୨୦୦ ଟଙ୍କା ସବସିଡି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାର ଆଜି ଘୋଷଣା କରିବା ପୂର୍ବରୁ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଶସ୍ତାରେ ଏଲପିଜି ପ୍ରତିଶ୍ରୁତିକୁ ପ୍ରତିହତ କରିବା ଲକ୍ଷ୍ୟରେ ଘରୋଇ ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ।
ଇଣ୍ଡିଆ ମେଣ୍ଟ ଦ୍ୱାରା ବିଗତ ଦୁଇ ମାସ ମଧ୍ୟରେ କେବଳ ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଛି ଏବଂ ଆଜି ଆମେ ଦେଖୁଛୁ ଯେ ଏଲପିଜି ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇଛି। ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରଭାବ। ଟୁଇଟରରେ ପୋଷ୍ଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି।
ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ ମଧ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ଲୋକସଭା ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ଚାଲ୍ ବୋଲି କହିଛନ୍ତି। କୋଲକାତାରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧,୧୨୯ ଟଙ୍କା ଥିବା ବେଳେ ବୁଧବାରଠାରୁ ନୂଆ ମୂଲ୍ୟ ଲାଗୁ ହେଲେ ଏହା ୯୨୯ ଟଙ୍କାକୁ ହ୍ରାସ ପାଇବ। ଗତ ଦୁଇ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଥିବାରୁ ଏହା ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି।
ନୂଆଦିଲ୍ଲୀରେ ଏହି ନିଷ୍ପତ୍ତିର ଘୋଷଣା କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କିନ୍ତୁ କହିଛନ୍ତି ଯେ ଓନାମ ଓ ରକ୍ଷାବନ୍ଧନ ଅବସରରେ ମହିଳାଙ୍କୁ ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ଏକ ଉପହାର।