ମହାକାଶକୁ ଯାତ୍ରା କରିବ ଆଦିତ୍ୟ ଏଲ୍-ୱାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ :  ଆଉ କିଛି ସମୟର ଅପେକ୍ଷା ରହିଛି  । ଇତିହାସ ରଚିବ ଇସ୍ରୋ। ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ସୌର ଜଗତ ସକଳ ଶକ୍ତିର ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ସୂର୍ଯ୍ୟ ଅଭିମୁଖେ ବାହାରିବ ଇସ୍ରୋର ଯାନ। ଲଞ୍ଚପ୍ୟାଡରେ ପ୍ରସ୍ତୁତ ରହିଛି ଆଦିତ୍ୟ । କେବଳ କମାଣ୍ଡକୁ ଅପେକ୍ଷା । ଆଜି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ସି ୫୭ ରକେଟ୍ । ୧୫ଲକ୍ଷ କିଲୋମିଟର ଦୂରରେ ଥିବା ଏଲ-୧ ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ ଏଲ-୧କୁ ଶହେରୁ ୧୨୦ ଦିନ ସମୟ ଲାଗିବ । ପ୍ରଥମେ ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହେବ। ଧୀରେ ଧୀରେ ଦୀର୍ଘ ଅଣ୍ଡାକୃତି କକ୍ଷପଥରେ ଘୂରି ଘୂରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ। ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବରୁ ବାହାରକୁ ଯିବା ମାତ୍ରେ ଆଦିତ୍ୟ ଏଲ-୧ର କ୍ରୁଜ ପର୍ଯ୍ୟାୟ ଆରମ୍ଭ ହେବ। ଆଦିତ୍ୟ ଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏହାପରେ ଲାଗ୍ରାଞ୍ଜ ପଏଣ୍ଟ ୱାନ ଚତୁଃପାର୍ଶ୍ବରେ ଥିବା ବିଶାଳ ହଲୋ ଅର୍ବିଟକୁ ଆଦିତ୍ୟ ଏଲ-୧କୁ ପ୍ରେରଣ କରାଯିବ। ଏଥିରେ ରହିଛି ୭ଟି ପେଲୋଡ। ୪ଟି ପେଲୋଡ଼ ସୂର୍ଯ୍ୟଙ୍କ ଆଡ଼କୁ ସିଧା ମୁହଁ କରି ରହିବ। ଅନ୍ୟ ୩ଟି ପେଲୋଡ଼ ସୂର୍ଯ୍ୟର କଣିକା ଓ କ୍ଷେତ୍ର ଉପରେ ଅଧ୍ୟୟନ କରିବେ। ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି । ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.