ସମସ୍ତଙ୍କ ଦେହରେ ରକ୍ତ, ସମସ୍ତଙ୍କ ପାଇଁ ରେଡକ୍ରସ

କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁବ ସଂସ୍କାର ପ୍ରେକ୍ଷାଳୟଠାରେ ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି କର୍ଣ୍ଣେଲ ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବରେଡକ୍ରସର ପରାମର୍ଶଦାତା ମାନେ ଯୋଗଦେଇ ଥିଲେ। କୁଳପତି ରେଡକ୍ରସ ପତାକା ଉତ୍ତୋଳନ କରିବା ସହ ଯୁବ ରେଡକ୍ରସର ଶପଥପାଠ କରାଇଥିଲେ। ସମସ୍ତଙ୍କ ଦେହରେ ରକ୍ତ ଅଛି, ସମସ୍ତଙ୍କ ପାଇଁ ରେଡକ୍ରସ, କଳାହାଣ୍ଡି ଜିଲ୍ଲାରେ ରକ୍ତସଂଗ୍ରହ କରିବା ପାଇଁ ରକ୍ତ ସଂଗ୍ରହ ଭ୍ୟାନର ଆବଶ୍ୟକତା ରହିଛି ବୋଲି ପ୍ରଫେସର ସଂଜୟ କୁମାର ଶତପଥୀ ମତପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲର ଚେୟାରମ୍ୟାନ ଡ. ନିବେଦିତା ନାଥ, ବିଶ୍ବବିଦ୍ୟାଳୟର ସ୍ଵେଚ୍ଛାସେବୀମାନଙ୍କ ଉପଦେଷ୍ଟା ମେଜର ଜୟଦେବ ସାହୁ ପ୍ରମୁଖ ଯୋଗଦେଇ ଯୁବରେଡକ୍ରସର ମହନୀୟ ଭୂମିକା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆବାହକ-ସଂପାଦକ ସଂଜୀବ କୁମାର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ୨୦୨୨-୨୩ ଶିକ୍ଷାବର୍ଷରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ସଚେତନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା ଚଳିତ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବାର୍ଷିକ ଯୋଜନା ଓ ବିଗତ ବର୍ଷର ଯୁବରେଡକ୍ରସ ରାଜ୍ୟ ଅଂଶ ଓ ରେଡ ରିବନ କ୍ଲବ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ବିଗତ ବର୍ଷ ଜିଲ୍ଲାରେ ଆୟୋଜିତ ହୋଇଥିବା ଦୁଇଟି ଜିଲ୍ଲା ସ୍ତରୀୟ ଶିବିରର ଆୟୋଜକ ପଞ୍ଚାୟତ ଡିଗ୍ର ମହାବିଦ୍ୟାଳୟ, କୋକସରାର ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଷିଡାର ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରାଜ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ପରାମର୍ଶଦାତା ଭାବେ ଲକ୍ଷୀରାମ ଅଗ୍ରଓ୍ବାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରାର ପରାମର୍ଶଦାତା ମୋହନ ଚରଣ ବିଷି ଓ ଶ୍ରେଷ୍ଠ ମହିଳା ସ୍ବେଚ୍ଛାସେବୀ ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରୀ ଶ୍ରାବଣୀ ବାନାର୍ଜିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭୦ଟି ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଓ ପରାମର୍ଶଦାତା ମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.