କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ସୁରକ୍ଷା ଓ ଉଦଜୀବିତ କରିବା ଲକ୍ଷ୍ୟ :ମନ୍ତ୍ରୀ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ପକ୍ଷରୁ କାଶିପୁର ବ୍ଳକ ଡୁଡୁକାବାହଲ ଗ୍ରାମ ପଂଚାୟତ ଅନ୍ତର୍ଗତ ତୋଟାଗୁଡା ଛକ ଠାରେ ଆଦିବାସୀ ଐତିହ୍ୟ ସାଧନ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା । ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ କୁମାର ମାଝି,ଜିଲ୍ଳା ଏସଡିଓି ଉପାଧ୍ୟକ୍ଷ ବନମାଳି କାଡ୍ରାକା ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କାଶିପୁର ପଂଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ସଦସ୍ୟ ପାଟ ମାଝି ଓ ଡମ୍ବୁରୁଧର ମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ଆଦିବାସୀମାନଙ୍କ କଳା, ସଂସ୍ଖୃତି, ପରମ୍ପରା, ଐତିହ୍ୟକୁ ସୁରକ୍ଷା ତଥା ଉଦଜୀବିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ସମୟରେ ଦୃଷ୍ଟି ଦେଇ ଆସିଛନ୍ତି । ବର୍ତମାନ ଏସଡିସି ମାଧ୍ୟମରେ ରାୟଗଡା ଜିଲ୍ଳାର ପ୍ରତ୍ୟେକ ବ୍ଳକସ୍ତରରେ ସଂସ୍କୃତି କେନ୍ଦ୍ର ଓ ଐତିହ୍ୟ ସାଧନ କେନ୍ଦ୍ର ନିର୍ମାଣ କରି ଆଦିବାସୀଙ୍କ ଭବିଷ୍ୟତକୁ ଆହୁରି ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ସମସ୍ତ ଆଦିବାସୀ ସମାଜ ପାଇଁ ଏକ ବଡ ପରିଚୟର ବାର୍ତା ଦେଉଛି ବୋଲି କହିଛନ୍ତି । ସେହିପରି ଏହି ସାଧନ କେନ୍ଦ୍ରରେ ଅଂଚଳର ଆଦିବାସୀ ଭାଇଭଉଣୀମାନେ ବସି ସେମାନଙ୍କର ଭବିଷ୍ୟତ ପାଇଁ ସେମାନଙ୍କର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ସହ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ପରିମଳ ପାଇଁ ଆଲୋଚନା କରିପାରିବେ ଏବଂ ସେମାନଙ୍କ ସୁନ୍ଦର ଭବିଷ୍ୟତ ତିଆରି କରିପାରିବେ ସେଥିପାଇଁ ପ୍ରତ୍ୟେକ ବ୍ଳକରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଏଭଳି ସାଧନ କେନ୍ଦ୍ର ନିର୍ମାଣ କରାଯିବାକୁ ଥିବା ବେଳେ କାଶିପୁରର ଏହି ସାଧନ କେନ୍ଦ୍ର ନିମନ୍ତେ ଅଂଚଳବାସୀଙ୍କ ଦାବିକୁ ଆଗ୍ରହ୍ୟ କରି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସାଧନ କେନ୍ଦ୍ର ନିର୍ମାଣ କରାଯିବ ବୋଲି ରାଜ୍ୟ ଉପଦେଷ୍ଠା ଶ୍ରୀ ମାଝି ପ୍ରକାଶ କରିଛନ୍ତି ।
ସେହିପରି ଆଜି କାଶିପୁର ବ୍ଳକରେ ଆଦିବାସୀ ଐତିହ୍ୟ ସାଧନ କେନ୍ଦ୍ର ଭିତି ପ୍ରସ୍ତର ସ୍ଥାପନ ସହ ଜୋନାଲ ସ୍ତରର ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି ପ୍ରକାଶ କରିଥିବା ବେଳେ ଆଦିବାସୀ ମାନଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏସଡିସି ଗଠନ କରିଛନ୍ତି । ପ୍ରତ୍ୟେକ ଗାଁରେ ଆଦିବାସୀମାନଙ୍କ ପୂଜାର୍ଚ୍ଚନା ପାଇଁ ଝାଙ୍କିରି ସହ କଳା,ସଂସ୍କୃତି ଓ ପରମ୍ପରାରେ ବାଦ୍ୟଯନ୍ତ୍ର, ବେଶଭୂଷାକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଥିବାରୁ କାଶିପୁର ଆଦିବାସୀ ସମାଜ ଏବଂ ମୁଁ ମଧ୍ୟ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ଭାଇଭଉଣୀମାନେ ଯୋଗ ଦେଇଥିବା ବେଳେ ଟିକିରି ଓ କାଶିପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ଆଦିବାସୀ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚଗୀତରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା ।