ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଶୁଭସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କର୍ତ୍ତା ଭାବରେ ଜ୍ୟୋତିର୍ମୟ ମିଶ୍ର ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ସସ୍ତ୍ରୀକ କାର୍ଯ୍ୟ ତୁଳାଉଥିବା ବେଳେ ପୂଜା ମଣ୍ଡପର ମୁଖ୍ୟ ପୁରୋହିତ ଭାବରେ ପଣ୍ଡିତ ନୀଳମଣି ମିଶ୍ର କାର୍ଯ୍ୟ ତୁଲାଇବେ ବୋଲି ସୂଚନା ମିଳିଛି। ବ୍ଲକଛକରେ ଏଵର୍ଷ ୧୪ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଅକ୍ଟୋବର ୨୦ ରେ ଅଧିବାସ, କଳସଯାତ୍ରା ଓ ବିଲ୍ୱବରଣ ହୋଇ ପରବର୍ତ୍ତୀ ଦିନଠାରୁ ମାଁ ଦୂର୍ଗାଙ୍କର ସମସ୍ତ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯିବାପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ସ୍ଥାନୀୟ ରୟାଲ ପଡିଆଠାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହେବାକୁ ଥିବା ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଆଇଡଲ ସିଙ୍ଗର ସୋହିନି ମିଶ୍ର, କୁଲଦୀପ ପଟ୍ଟନାୟକଙ୍କ ପଏଣ୍ଟ ବ୍ଲାଙ୍କ ବେଣ୍ଡ୍ ସହ ବହୁ ସୁନାମଧନ୍ୟ କଳାକାରମାନଙ୍କ ଦ୍ଵାରା ମେଲୋଡ଼ି ଓ ଅନ୍ୟ ଦିନ ମାନଙ୍କରେ ଭଜନ ସଂଧ୍ୟା, ଲୋକନୃତ୍ୟ କଳା ଓ କଳାକାର ସମ୍ବଲପୁର ଓ ରଙ୍ଗାରଙ୍ଗ ଗୀତ, ନାଚ ପରିବେଷଣ ହେବ । ବିଶେଷ କରି ଦଶହରା ଦିନ ରାବଣ ଦରବାର ସହ ରାବଣପୋଡି ତଥା ପିପିଲି ର ସୁଦକ୍ଷ ବାଣ କାରିଗର ମାନଙ୍କଦ୍ଵାରା ଆତସବାଜି ପ୍ରଦର୍ଶନ ହେବ। ସେହିପରି ରୟାଲ ପଡିଆ ଠାରେ ମୀନା ବଜାର, ଖାଦ୍ୟ ମେଳା ମଧ୍ୟ ଆୟୋଜିତ ହେବାସହ ୨୭ ତାରିଖରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ଵାରା କଳା ପ୍ରଦର୍ଶନ ସହ ଭଷାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ସଭାପତି ଅରବିନ୍ଦ ବାରିକ ଓ ସଂପାଦକ ନିଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।




