ଅକ୍ଟୋବର ୨ ଠାରୁ ରାୟଗଡାରେ ବୁଲି ସଚେତନ କରିବ ସାଇବର ସୁରକ୍ଷା ସଚେତନ ରଥ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସାଇବର କ୍ରାଇମ ଅଭିଯାନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ ଠକର ଜାଲରେ ଛନ୍ଦି ହୋଇ ପଡୁଛନ୍ତି ଅନେକ ଲୋକେ । ମୋବାଇଲରେ ହିଁ ଡିଜିଟାଲ ବ୍ୟାଙ୍କିଂର ସୁବିଧା, ଅନଲାଇନ ଟ୍ରେଡିଂ ଓ ପେମେଂଟ ଭଳି ବ୍ୟବସ୍ଥାକୁ ବହୁଳ ବ୍ୟବହାର କରୁଛନ୍ତି । ଅନେକ ସମୟରେ ସାଇବର ଅପରାଧିମାନେ ଦୈନିକ ନୂଆ ନୂଆ ତରିକାରେ ଠକେଇ କରୁଥିବାରୁ ଏହି ଅପରାଧ ଘଟାଉଥିବା ଲୁଟେରାମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ହେଲେ ସଚେତନତା ହିଁ ଏକ ମୂଳ ଅସ୍ତ୍ର । ଲୋକଙ୍କୁ ଏହି ସାଇବର ଅପରାଧ ସମ୍ବନ୍ଧରେ ସଚେତନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ ସଚେତନତା ରଥ ବୁଲିବାର କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା ।
ଏହି ଅଭିଯାନର ସଫଳତା ପାଇଁ ତୃଣମୂଳ ସ୍ତରରେ ଏହାର ପ୍ରଚାରପ୍ରସାର ପାଇଁ ସାଇବର କ୍ରାଇମ ନିୟନ୍ତ୍ରଣର ସାରଥୀ ସାଜିବେ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ଓ ମିଶନଶକ୍ତି ସଦସ୍ୟାମାନଙ୍କ ସହ ରେଡକ୍ରସ୍,ବିଭିନ୍ନ ଏନଜିଓ ସଂସ୍ଥାର ସଦସ୍ୟସଦସ୍ୟାମାନେ । ଗାଁ ଠାରୁ ସହର ଘର ଘର ବୁଲି ଲୋକଙ୍କୁ ସାଇବର ଅପରାଧ ସମ୍ବନ୍ଧରେ ସଚେତନ କରାଇବେ । ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସାଇବର କ୍ରାଇମ ସଚେତନତା ରଥ ଗଡିବାକୁ ଥିବା ବେଳେ ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୪ଟି ଭିଡିଓକୁ ଏଲଇଡି ମାଧ୍ୟମରେ ପ୍ରସାରିତ କରାଯିବ । ରାଗୟଡା ଜିଲ୍ଳାରେ ସାଇବର ରଥର ଶୁଭାରମ୍ଭ ଅକ୍ଟୋବର ୨ତାରିଖ କରାଯିବାକୁ ଥିବା ବେଳେ ଅକ୍ଟୋବର ୧୫ତାରିଖରେ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଏସ.ପି.ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଜିଲ୍ଳାର ବିଭିନ ଜନଗହଳି ସ୍ଥାନ,ବଜାର ,ହାଟ ଆଦି ସ୍ଥାନରେ ଏହି ରଥ ବୁଲି ସଚେତନତା ସୃଷ୍ଟି କରିବ । ସାଇବର କ୍ରାଇମ ଠାରୁ ଲୋକଙ୍କୁ କିପରି ଭାବେ ସୁରକ୍ଷା ଦିଆଯାଇପାରିବ ସେ ନେଇ ପୋଲିସ ପ୍ରଶାସନ ଡିଜିଟାଲ ପ୍ଳାଟଫମକୁ ଅଧିକ ଗୁରୁତ୍ୱ ଦେଉଥିବା ଜିଲ୍ଳା ଏସ.ପି.ଶ୍ରୀ ଶର୍ମା ବୈଠକରେ କହିଥିଲେ ।
ସାଇବର ଠକେଇର ସମାଧାନ ପାଇଁ ସାଇବର ହେଲ୍ପଲାଇନ ନମ୍ବର ୧୯୩୦କୁ ଯୋଗାଯୋଗ କଲେ ତୁରନ୍ତ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ଏସପି ଶ୍ରୀ ଶର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର,ବିଜୟ କୁମାର ନନ୍ଦ,ପ୍ରତାପ ଚନ୍ଦ୍ର ତ୍ରିପାଠୀ,ଅସିତ୍ କୁମାର ମହାନ୍ତି,ସାଇବର ସେଲ୍ ଇନ୍ସପେକ୍ଟର ଅଭିନାଶ ରେଡ୍ଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।