ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସଦର ସ୍ମାର୍ଟ ପାର୍କ ଠାରେ ବିଦ୍ୟୁତ କରେଣ୍ଟରେ ମୃତ୍ୟୁ ବରଣ କରିଥିବା ଓ ପୌର ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ଫରେଷ୍ଟ ପାର୍କର କର୍ମଚାରୀ ସ୍ବର୍ଗୀୟା ବାସନ୍ତି ଦାସଙ୍କ ଅମର ଆତ୍ମାର ଶାନ୍ତି ସଦଗତି ପାଇଁ ଆଜି ସକାଳ ୭ ଟାରେ ଫରେଷ୍ଟ ସ୍ମାର୍ଟ ପାର୍କ ସମ୍ବୁଖରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ମର୍ନିଙ୍ଗ ୱାକର ଟିମ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଆୟୋଜିତ ଏହି ସଭାରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଅବକାରୀ ଅଧିକ୍ଷକା ସୁମତି ତ୍ରିପାଠୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଉଲୁଣ୍ଡା ବ୍ଲକ ଏବିଡିଓ ସୁଧାଂଶୁ ଶେଖର ମଲ୍ଲିକ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ସାମ୍ବାଦିକ ବିବେକା ନନ୍ଦ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଓକିଲ ସଂଘ ସମ୍ପାଦକ ପ୍ରଫୁଲ୍ଲ ସାହୁ, ପୌର ପରିଷଦ ନୋଡାଲ ଅଫିସର ଶାଶ୍ୱତ ରଞ୍ଜନ ଠାକୁର, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗୀୟା ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ସମେତ ସ୍ମୃତି ଚାରଣ କରିଥିଲେ l ସଭାକୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସମାଜସେବୀ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ହରି ଶଙ୍କର ଚୌଧୀରି, ରୁଦ୍ର ମହାପାତ୍ର ପ୍ରମୁଖ ସମସ୍ତ ମର୍ନିଙ୍ଗ ୱାକର ଆୟୋଜନ ରେ ସହଯୋଗ କରିଥିଲେ l ସ୍ୱଚ୍ଛ ଭାରତର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିବା ବେଳେ ମୃତ ବାସନ୍ତିଙ୍କ ପରିବାରକୁ ଏସପି ପାଞ୍ଚ ହଜାର ଓ ଅବକାରୀ ଅଧିକ୍ଷିକା ଶ୍ରୀମତୀ ତ୍ରିପାଠୀ ଚାରି ହଜାର ଟଙ୍କା ଆର୍ଥିକ ସହାୟତା କରିଥିବା ବେଳେ ସମସ୍ତ ମର୍ନିଙ୍ଗ ୱାକରଙ୍କ ପକ୍ଷରୁ ସ୍ବର୍ଗୀୟା ବାସନ୍ତିଙ୍କ ଶ୍ରାଦ୍ଧ ଦିବସ ରେ ଯାହା କିଛି ସଂଗ୍ରହ ହେବାକୁ ଥିବା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବାକୁ ସ୍ଥିର ହୋଇଛି l