ସରକାରୀ ବସ ଥାନାରେ ଅଟକ ପୋଲିସର ତଦନ୍ତ ଜାରି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନାରେ ଲାଞ୍ଜିଗଡ଼ଠାରୁ କଟକ ଯାଉଥିବା ଏକ ସରକାରୀ (ଓଏସଆରଟିସି) ବସ ନମ୍ବର (ଓଡ଼-୦୫ବିସି-୪୧୭୨)ରୁ ୧୪୦ କିଲୋ ତମ୍ବା ଜବତ କରି ଦୁଇ ଜଣ ଡ୍ରାଇଭର ଓ କଣ୍ଡକ୍ଟର ସମେତ ବସ ଟିକୁ ଲାଞ୍ଜିଗଡ ଥାନାରେ ଅଟକ ରଖାଯାଇଛି I ଯାହା ଫଳରେ ପୂର୍ବରୁ ବସରେ ଟିକଟ କଟିଥିବା ଯାତ୍ରୀଙ୍କୁ ସାଢ଼େ ୩ ଘଣ୍ଟା ସମୟ ଦିଆଯାଇଥିବା ବେଳେ ତା ପୂର୍ବରୁ ସାଢ଼େ ୧ ଘଣ୍ଟା ସମୟରେ ପୋଲିସ ବସଟିକୁ ଜବତ କରିଥିଲା। ଫଳରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ପୋଲିସରୁ ମିଳିଥିବା ସୂଚନାନୁସାରେ କୌଣସି ସୂତ୍ରରୁ ଖବର ପାଇ ଲାଞ୍ଜିଗଡ ପୋଲିସ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ନିଜ ପୋଲିସ ଟିମ ସହିତ ଲାଞ୍ଜିଗଡ଼-କଟକ ଯାଉଥିବା ସରକାରୀ ବସ ରହିଥିବା ସ୍ଥାନକୁ ଯାଇ ଅପରାହ୍ନ ସାଢ଼େ ୧ ଘଣ୍ଟା ସମୟରେ ଚଢ଼ାଉ କରି ବସ ଡେକିରୁ ପ୍ରାୟ ୧୪୦ କିଲୋ ତମ୍ବା ଜବତ କରିଥିଲେ। ଏହାପରେ ବସଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା ଜଣାପଡିଛି I ତମ୍ବା ବସ୍ତା ପଠାଉଥିବା ମୁଖ୍ୟ ଆସାମୀ ବର୍ତ୍ତମାନ ଫେରାର ଥିବାବେଳେ ବସର ୨ ଜଣ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଥାନାରେ ରଖି ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ସୂଚନା ଦେଇଛନ୍ତି I