୨ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି ଆଇପିଏସ୍ ଅଫିସର ସିମାଲା ପ୍ରସାଦ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏମିତି ବି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଥାନ୍ତି । ଆଇପିଏସ୍ ସିମାଲା ପ୍ରସାଦ ସେମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କେବଳ ସେତିକି ନୁହେଁ, ସିମାଲା ଦୁଇଟି ବଲିଉଡ଼ ଫିଲ୍ମରେ ବି ଅଭିନୟ କରିଛନ୍ତି , ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ୧୯୮୦ ମସିହା ଅକ୍ଟୋବରରେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ ସିମାଲା । ସେ ସେଣ୍ଟ୍ ଜୋସେଫ ସ୍କୁଲରେ ପଢା ସରିବା ପରେ ବି.କମ କରିଥିଲେ । ପରେ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । କଲେଜ ଶେଷ କରିବା ପରେ ସିମାଲା ପ୍ରଥମେ ମଧ୍ୟପ୍ରଦେଶ ଜନସେବା ଆୟୋଗର ଏମ୍‌ପି ପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଡିଏସପି ପଦରେ ନିଯୁକ୍ତ କରାଯାଇଥିଲା । ଏହି ସମୟ ମଧ୍ୟରେ ସେ ସମୟ ବାହାର କରି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରେ ପ୍ରଥମ ପ୍ରୟାସରେ ସଫଳତା ହାସଲ କରିଥିଲେ । ତାହା ପୁଣି ବିନା କୋଚିଂରେ । ସିମାଲା ପ୍ରସାଦ ୨୦୧୦ ବ୍ୟାଚ ଆଇପିଏସ ଅଧିକାରୀ । ଏବେ ତାଙ୍କୁ ମଧ୍ୟପ୍ରଦେଶରେ ପୋଷ୍ଟିଂ କରାଯାଇଛି । ସିମାଲା କେବଳ ପାଠରେ ନୁହେଁ, ଅଭିନୟରେ ମଧ୍ୟ ପାରଙ୍ଗମ । ସେ ୨୦୧୭ରେ ରିଲିଜ ହୋଇଥିବା ବଲିଉଡ଼ ଫିଲ୍ମ ଆଲିଫରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏଥିରେ ସେ ଶ୍ୟାମି ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ପରେ ୨୦୧୯ରେ ନାକାଶରେ ଅଭିନୟ କଲେ । ଏଥିରେ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିିଥିଲେ । ପିଲାଦିନରୁ ସିମାଲା ନାଚିବା ଏବଂ ଅଭିନୟ କରିବାକୁ ଭଲ ପାଉଥିଲେ । ତାଙ୍କ ସ୍କୁଲ-କଲେଜ ଦିନରେ ସେ ନାଟକ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ସିଭିଲ ସର୍ଭିସରେ ଯୋଗଦେବାକୁ କେବେ ଭାବି ନ ଥିଲେ କିନ୍ତୁ ଆଜି ସେ ଜଣେ ଆଇପିଏସ ଅଧିକାରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.