ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ ସଦସ୍ୟ ଶ୍ୱାସକ୍ରିୟା ପରୀକ୍ଷାରେ ଆଲକହଲ ବ୍ୟବହାର କରିନାହାନ୍ତି ବୋଲି ଏକ ମିଛ ରିପୋର୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହେବା ପରେ ଏଭଳି ଏକ ନିୟମ ପାଇଁ ଡିଜିସିଏ ପ୍ରସ୍ତାବ ଦେଇଛି। ଧରାପଡ଼ିଲେ କ୍ରିଉ ମେମ୍ବରଙ୍କୁ ନିଲମ୍ବିତ କରାଯାଇପାରେ କିମ୍ବା ଏପରିକି ସେମାନଙ୍କ ଲାଇସେନ୍ସ ମଧ୍ୟ ହରାଇପାରେ। ଅନେକ ପାଇଲଟ୍ କୌଣସି ମଦ୍ୟପାନ କରିନଥିଲେ ମଧ୍ୟ ସେମାନଙ୍କ ବ୍ରେଥଲାଇଜର ଟେଷ୍ଟରେ ଆଲକହଲ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଏହି ପ୍ରସ୍ତାବ ଆସିଛି। କେତେକ କ୍ଷେତ୍ରରେ ପାଇଲଟମାନେ ବ୍ୟବହାର କରୁଥିବା ଆଫ୍ଟରଶେଭ୍ ଲୋସନ୍ ବା ପରଫ୍ୟୁମରେ ଥିବା ଆଲକହଲର ମାତ୍ରା ଉପରେ ପଜିଟିଭ୍ ଟେଷ୍ଟକୁ ଦାୟୀ କରିଥିଲେ। ପ୍ରସ୍ତାବିତ ନିୟମ ଅନୁଯାୟୀ ବିମାନର କ୍ରିଉ ମେମ୍ବରମାନେ ମଧ୍ୟ ଆଲକହଲ ଯୁକ୍ତ କୌଣସି ଔଷଧ ସେବନ କରିବା ପୂର୍ବରୁ କମ୍ପାନୀ ଡାକ୍ତରଙ୍କ ସହ ପରାମର୍ଶ କରିବା ବାଧ୍ୟତାମୂଳକ ହେବ। ଡିଜିସିଏ ଏହାର ଶ୍ୱାସ ପରୀକ୍ଷା ପ୍ରକ୍ରିୟାରେ ଅନ୍ୟାନ୍ୟ ପରିବର୍ତ୍ତନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି, ଯେଉଁଥିରେ ଦୈନିକ ଆଧାରରେ କଣ୍ଟ୍ରୋଲ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଉପକରଣ ଠିକ୍ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରାଯାଇପାରିବ। ଯଦି କୌଣସି କ୍ରିଉ ମେମ୍ବରଙ୍କ ବ୍ରେଥଲାଇଜର ଟେଷ୍ଟ ପଜିଟିଭ୍ ଆସେ ତେବେ ୨୦-୨୫ ମିନିଟ୍ ବ୍ୟବଧାନରେ ରିପିଟ୍ ଟେଷ୍ଟ କରାଯିବ। ବିମାନ କର୍ମଚାରୀମାନେ ଯେପରି ମଦ ପିଇବାର ମିଥ୍ୟା ଅଭିଯୋଗ ଆଣିବେ ନାହିଁ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଯେପରି କୌଣସି ପ୍ରକାରର ଆଳ ଦେଖାଇବେ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ଏହି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.