ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ଶାନ୍ତପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି-୨୦୨୩’ ଓ ‘ମିଲେଟ୍ସ ପ୍ରତିଯୋଗିତା-୨୦୨୩’ ଶାନ୍ତପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ମହୋତ୍ସବକୁ ବଡଧାରପୁର ସରପଞ୍ଚ ପର୍ଶୁରାମ ହରପାଲ ଉଦଘାଟନ କରିଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସିଆରସିସି ସୁଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସମ୍ମାନିତ ଅତିଥି ଭାବେ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସାରଙ୍ଗଧର ଠାକୁର, ରାତୁଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ, ଶାନ୍ତପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜକୁମାରୀ ନାଏକ, ବରିଷ୍ଠ ଶିକ୍ଷକ ଖଗପତି ସାହୁ, ଶିକ୍ଷୟିତ୍ରୀ ସୁକାନ୍ତି ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ନେପାଳ ବିଶ୍ଵାଳ ଓ ସତ୍ୟବାନ ହରପାଲ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ସିଆରସିସି ସୁଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନେ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।