ରୁପ୍ରାରୋଡର କପଡ଼ା ବେପାର; ଗ୍ରାହକଙ୍କୁ ଲୁଟିବା ସହ ଟିକସ ଫାଙ୍କୁଛନ୍ତି ବ୍ୟବସାୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବ୍ୟାପକ ମାତ୍ରାରେ ଅସଲି ବ୍ରାଣ୍ଡ ନାଁରେ ନକଲି ଡ୍ରେସ୍‌ ବିକ୍ରି ହେଉଥିବା ନଜରକୁ ଆସିଛି । ଗତ ଅଗଷ୍ଟ ମାସରେ  ବଲାଙ୍ଗୀର ଲଖାନି ନ୍ୟୁ ଗାରମେଣ୍ଟ କପଡା ଗୋଦାମରେ ଚଢାଉ କରି ପାଖାପାଖି ୪୫ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡର ପୋଷାକ ଜବତ କରିଥିଲା ବଲାଙ୍ଗୀର ପୋଲିସ । ଏହି ଘଟଣାରେ ପୋଲିସ ଡ୍ରେସ୍‌ ବ୍ୟବସାୟୀ ରାଜେଶ କୁମାର ଲଖାନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛି ବ୍ରାଣ୍ଡେଡ୍ କମ୍ପାନୀ ତରଫରୁ ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ । ତେବେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହିପରି ନକଲି କପଡ଼ା ବେପାର ଚାଲିଥିବା ଚର୍ଚ୍ଚା ହେଉଛି । ନିକଟରେ କୋକସରା ବ୍ଲକ ଲଡୁଗାଁର ଏକ କପଡ଼ା ବ୍ୟବସାୟୀ ଏପରି ଧନ୍ଦା ଚାଲୁରଖିଥିବା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନର ନିଦ୍ରା ଭଙ୍ଗ ହୋଇଥିଲା ଓ ସଂପୃକ୍ତ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଟେକ୍ସ ଫାଙ୍କିଥିବାରୁ ମୋଟା ଅଙ୍କର ଫାଇନ (୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା) କଟାଯାଇଥିବା ଜଣାପଡିଛି । ଏପରି ସ୍ଥିତିରେ ରୁପ୍ରାରୋଡର ଜୈନେକ ବ୍ୟବସାୟୀ ଏପରି ବୃତ୍ତି ଆପଣେଇ ଗ୍ରାହକଙ୍କୁ ଲୁଟୁଥିବା ବେଳେ ପ୍ରବଳ ଟିକସ ଫାଙ୍କି କରୁଥିବା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଦୀର୍ଘ ବର୍ଷଧରି ଏହି କାରବାର ଚାଲି ଆସୁଥିବାବେଳେ କିପରି ସଂପୃକ୍ତ ବିଭାଗ ଓ ପ୍ରଶାସନ ହାତବାନ୍ଧି ବସିଛି ସେନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.