ଜାଭେଲିନ୍ ତାରକା କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି କହିବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଆଉ ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ, ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଶୋର ଜେନା। ଏଥିସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରିତ କରିପାରିବେ ସେନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ, ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି କିଶୋର। ଏହାସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି ଏହି ଜାଭେଲିନ୍ ତାରକା। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଚଳିତବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ୫ମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.