ଭବାନୀପାଟଣା ବ୍ଲକ ସମିତି ସଭ୍ୟ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସର୍କିଟ ହାଉସଠାରେ ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହେବାସହ ଭବାନୀପାଟଣା ବ୍ଲକ ସମିତି ସଭ୍ୟ ସଂଘ ଗଠିତ ହୋଇଯାଇଛି । ମେଦିନୀପୁର ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ସମିତି ସଭ୍ୟ ସଂଘର ଅସ୍ଥାୟୀ ସଭାପତି ମନୋଜ କୁମାର ପଟ୍ଟନାୟକ ଏବଂ କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଜିତେନ୍ଦ୍ର କୁମାର ମାଝୀ ଯୋଗଦାନ କରିଥିଲେ । କଳାହାଣ୍ଡି ଜିଲ୍ଲା ସମିତି ସଭ୍ୟ ସଂଘର ଅସ୍ଥାୟୀ ସଭାପତି ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହ ସଂଘବଦ୍ଧ ହୋଇ ନିଜର ହକ ଓ ଅଧିକାର ପାଇଁଁ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଏହାସହ ରାଜ୍ୟ ସମିତି ସଭ୍ୟ ସଂଘକୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଶ୍ରୀ ପଟ୍ଟନାୟକ । ବୈଠକରେ ସର୍ବସମ୍ମତିକ୍ରମେ ଭବାନୀପାଟଣା ବ୍ଲକ ସମିତି ସଭ୍ୟ ସଂଘର ସଭାପତି ଭାବରେ ମେଦିନୀପୁର ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ଦାସ, ଉପ ସଭାପତି ଭାବରେ ନଳିନୀ ମାଝୀ, ସାଧାରଣ ସମ୍ପାଦକ ଭାବେ ଦୁଆରସୁନୀ ପଞ୍ଚାୟତର ସମିତି ସଭ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ସହ ସମ୍ପାଦକ ଭାବରେ ଦେପୁର ପଞ୍ଚାୟତର ସମିତି ସଭ୍ୟା ତିଲୋତ୍ତମା ଜାଲ, କୋଷାଧ୍ୟକ୍ଷ ଭାବରେ ଥୁଆପଦର ପଞ୍ଚାୟତର ସମିତି ସଭ୍ୟା ଗୀତାଞ୍ଜଳୀ ସାହୁ ମନୋନୀତ ହୋଇଥିଲେ। ଶେଷରେ ଜିଲ୍ଲା ଅସ୍ଥାୟୀ ସଭାପତି ଶ୍ରୀ ପଟ୍ଟନାୟକ ମନୋନୀତ ସମସ୍ତ ବ୍ଲକ କମିଟିର ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.