ରାୟଗଡା ମହିଳା ମହାବିଦ୍ୟାଳୟ କ୍ରୀଡା ସଂସଦର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମହିଳା ମହାବିଦ୍ୟାଳୟ କ୍ରୀଡା ସଂସଦର ୪୦ତମ ବାର୍ଷିକ ଉତ୍ସବ ଦୌଡ଼କୁଦ ପ୍ରତିଯୋଗିତା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆଜି ପାଳନ ହୋଇଯାଇଛି | ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଗଭର୍ଣ୍ଣିଙ୍ଗ ବୋଡି ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ |

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମୁଦୁଲି ଅନୁଆଲ ଏଥେଲେଟିକ ମିଟ ମଶାଲ ଜଳାଇବା ସହ କ୍ରୀଡା ପତାକା ଉତ୍ତଳୋନ କରିଥିଲେ | ଏଥି ସହ ମିଲେଟ ମିଶନକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ମାଣ୍ଡିଆରେ ତିଆରି ରସଗୋଲା, ଚକୁଳି, କେକ, ପିଠା ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନର ଏକ ଷ୍ଟଲ ମଧ୍ୟ ଖୋଲା ଯାଇଥିଲା | ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକ ଅତିଥି ପରିଚୟ ସହ ବାର୍ଷିକ କ୍ରୀଡା ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ରଖିଥିବା ବେଳେ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବା ତଥା କରୁଥିବା ଅନେକ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଭ କରି ରାୟଗଡା ଜିଲ୍ଲା ତଥା ରାଜ୍ୟକୁ ଗୌରବନ୍ୱିତ କରିଛନ୍ତି ବୋଲି ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ | କ୍ରୀଡା କ୍ଷେତ୍ରରେ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଏଭଳି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନୀ କରି ଆଗାମୀ ଭବିଷ୍ୟତରେ ଜିଲ୍ଲା ରୁ ରାଜ୍ୟ ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ଭଳି ଲକ୍ଷ୍ୟ ରଖିବା ଦରକାର ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମୁଦୁଲି ପରାମର୍ଶ ଦେଇଥିଲେ |

ଛାତ୍ରୀମାନେ ପାରମ୍ପରିକ ବେଶ ଭୁଷାରେ ଆଦିବାସୀ ଢେମସା ନୃତ୍ୟ ସହ ଅନ୍ୟାନ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ୧୦୦, ୨୦୦ ମିଟର ଦୌଡ ପ୍ରତିଯୋଗିତା ସହ ଜାଭେଲିନ, ଡିସକସ ଓ ସଟ ଫୁଟ ଥ୍ରୋ, ଚେଶ ଓ କେରମ ଭଳି ଇଣ୍ଡୋର ଗେମ, କବାଡି, ଖୋକ ଭଳି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି | ଏଥିରେ ଭାଗ ନେଇ ଛାତ୍ରୀ ମାନେ ବେଶ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ଏହି କ୍ରୀଡା ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି | ମହିଳା ମହାବିଦ୍ୟାଳୟ କ୍ରୀଡା ସଂସଦର ଉପ ସଭାପତି ରଘୁନାଥ ଭୁଏ, ରଶ୍ମି ରଞ୍ଜନ ସାହୁ, ଶ୍ରଦ୍ଧାଞ୍ଜଳି ପଣ୍ଡା ପ୍ରମୁଖ ଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ରିତାରାଣୀ ମିଶ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା ହୋଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.