ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଆରାଧ୍ୟ ଦେବତା ଆମପାଣିର ବୁଢ଼ାରଜା ମନ୍ଦିରରେ ବୁଧବାର ସକାଳୁ ଏକ ଅଘଟଣ ଘଟିଛି। ରଙ୍ଗ ମାରୁଥିବାବେଳେ ଜଣେ ଶ୍ରମିକ ମନ୍ଦିରରୁ ଖସିପଡ଼ି ଘଟଣା ସ୍ଥଳରେ ହିଁ ମୃତ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣକ ଧର୍ମଗଡ଼ ବ୍ଳକ ବିକ୍ରମଗୁଡାର ଟଙ୍କଧର ନାଏକ (୩୫) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଆଗକୁ ପ୍ରଭୁ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ରହିଛି। ଏଣୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବା ସହ ମନ୍ଦିରକୁ ମଧ୍ୟ ରଙ୍ଗ ମରାଯାଉଛି। ରଙ୍ଗ ମରା କାର୍ଯ୍ୟରେ ଜୈନିକ ଠିକାଦାର ଦ୍ବାରା ଟଙ୍କଧର ନିୟୋଜିତ ହୋଇଥିଲେ। ଆଜି ସକାଳୁ ରଙ୍ଗ କରିବା ପାଇଁ ଟଙ୍କଧର ସାଥୀ ଶ୍ରମିକ ମାନଙ୍କ ସହ ମନ୍ଦିର ଉପର କୁ ଚଢ଼ିଥିଲେ। ହେଲେ ରଙ୍ଗ କରୁଥିବାବେଳେ କୌଣସି ପ୍ରକାରେ ଟଙ୍କଧର ମନ୍ଦିରରୁ ଖସିପଡ଼ି ଥିଲେ। ତେବେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା। ଏହାପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁରନ୍ତ ଆମପାଣି ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଶବ ଜବତ କରିଥିଲେ। ଏଣେ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ଶବ ନ ଉଠାଇ କ୍ଷତିପୂରଣ ଦେବାପାଇଁ ଅଡି ବସିଥିଲେ। ମନ୍ଦିର ପରିଚାଳନା କମିଟି ଓ ପୁଲିସ ପକ୍ଷରୁ ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଯିଦ୍ ରେ ଅଟଲ ରହିଥିଲେ। ଦିର୍ଘ ସମୟ ଧରି ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ଏହାପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏବଂ ମନ୍ଦିର ପରିଚାଳନା କମିଟି ଓ ରେଡକ୍ରସ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାପରେ ପରିବାର ଲୋକେ ଶବ ନେବା ପାଇଁ ରାଜି ହୋଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆମପାଣି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଆମପାଣି ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।






