୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି।

ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ।

କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନାର ଲାଭ ଦେଶର ପ୍ରତ୍ୟେକ କୃଷକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କୃଷି ଋଣ ପୋର୍ଟାଲ (କେଆରପି), କେସିସି ଘର ଘର ଅଭିଯାନ ଏବଂ ପାଣିପାଗ ସୂଚନା ନେଟୱାର୍କ ଡାଟା ପ୍ରଣାଳୀ (ୱିଣ୍ଡସ) ଆରମ୍ଭ କରିଛନ୍ତି । ୱିଣ୍ଡସର ଲକ୍ଷ ହେଉଛି କୃଷକମାନଙ୍କୁ ସେମାନଙ୍କ ଫସଲ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ସଶକ୍ତ କରିବା ପାଇଁ ଠିକ୍ ସମୟରେ ଏବଂ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବା । କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବିସ୍ତାର କରିବା, ଡାଟା ବ୍ୟବହାରକୁ ସର୍ବାଧିକ ସ୍ତରକୁ ନେବା ଏବଂ ସମଗ୍ର ଦେଶରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.