ସିଜିମାଳି ବକ୍ସାଇଟ ଖଣି ଖନନ ପାଇଁ କେରପାଇରେ ଜନଶୁଣାଣି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସିଜିମାଳି ବକ୍ସାଇଟି ଖଣି ଉତ୍ତୋଳନ ସକାଶେ ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣି ଶିବିର କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଓ ରାୟଗଡ଼ା ଜିଲ୍ଲାର କାଶିପୁର ଅଞ୍ଚଳର ଖଣି ଲିଜ ପାଇଁ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ଲାଗି ରହିଛି । ଏହାରି ଭିତରେ ଅକ୍ଟୋବର ୧୮ ବୁଧବାର ଦିନ କେରପାଇରେ ଆୟୋଜିତ ଜନଶୁଣାଣିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।

ଉକ୍ତ ଜନ ଶୁଣାଣିରେ କଳାହାଣ୍ଡି ଏଡିଏମ ଜନ୍ମେଜୟ ଦରଓ୍ବାନ, କିରଣ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଧିରଜ ପଟ୍ଟନାୟକ, ସବକଲେକଟର ବିଶ୍ବଜିତ ଦାସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଭୁବନ ଶବର, ଜିଲ୍ଲା ତହସିଲଦାର ଉପେନ୍ଦ୍ର କୁମାର ଲୁହାର, ଥୁଆମୂଲ ରାମପୁର ତହସିଲଦାର ଚିନ୍ମୟ କୁମାର ନାଏକ, କଲମପୁର ତହସିଲଦାର ରୁଦ୍ର ପ୍ରସାଦ ନାଏକ, ଥୁଆମୂଲ ରାମପୁର ବିଡ଼ିଓ ଶୁଭକାନ୍ତ ନାଏକ, କଲମପୁର ବିଡ଼ିଓ ବିଜୟ ମାଡାଙ୍ଗି, ଜୁନାଗଡ଼ ବିଡ଼ିଓ ଦେବାଶିଷ କର, ଅନ୍ୟ ବରିଷ୍ଠ ପ୍ରଶାସନିକ ଏବଂ ପୁଲିସ କର୍ମୀମାନେ ଉପସ୍ଥିତ ଥିଲେ । ଉକ୍ତ ଜନ ଶୁଣାଣିରେ ବେଦାନ୍ତ ଏବଂ ମୈତ୍ରୀ କମ୍ପାନୀର ବରିଷ୍ଠ କର୍ତ୍ତୃପକ୍ଷମାନେ ମଧ୍ୟ ଉପସ୍ଥିତ ଥିଲେ । ଜନ ଶୁଣାଣିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ପ୍ରକାଶ ଥାଉ କି, ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍ସାଇଟ ଖଣି ନିଲାମ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୁଲ୍‍ ରାମପୁର ଏବଂ ରାୟଗଡା ଜିଲ୍ଲା କାଶୀପୁର ତହସିଲ ଅନ୍ତର୍ଗତ ୧୫୪୯.୨୨ ହେକ୍ଟର ଅଞ୍ଚଳରୁ ପ୍ରସ୍ତାବିତ ୯ ଏମଟିପିଏ ବକ୍ସାଇଟ ଉତ୍ପାଦନ କରାଯିବ । ଏଥିରୁ ଶୂନ ଦଶମିକ ୧୮ ଏମଟିପିଏ ଟପ ସଏଲ, ୭ ଏମଟିପିଏ ବର୍ଜ୍ୟ ଏବଂ ୧ ଦଶମିକ ୪୨ ଏମଟିପିଏ ସବଗ୍ରେଡ୍‍ ସମୁଦାୟ ୧୮ ଏମଟିପିଏ ବକ୍ସାଇଟ ଖନନ କରାଯିବା ସହିତ ୨×୧୨୦୦ ଟିପିଏଚ୍‍ କ୍ଷମତା ବିଶିଷ୍ଟ କ୍ରସର କଳାହାଣ୍ଡି ଜିଲ୍ଲା ନିମନ୍ତେ ସ୍ଥାପନା ପାଇଁ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.