ସଧବା ନାରୀମାନେ ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା ପାଇଁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ଦେବୀ ସାବିତ୍ରୀ, ସତ୍ୟବାନ ଓ ଯମଦେବଙ୍କୁ ମଧ୍ୟ ପୂଜା କରାଯାଏ।
ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଠ କନ୍ୟା ହେଲେ ସତୀ ଏବଂ ସାବିତ୍ରୀ। ଦୁହେଁ ମାତୃଦେବୀଙ୍କ ଦୁଇ ଭିନ୍ନଭିନ୍ନ ମରଣଶୀଳ ବା ପାର୍ଥିବ ଅବତାର। ଉଭୟେ ଥିଲେ ରାଜକନ୍ୟା। ଦୁହେଁ ବିବାହ କରିଥିଲେ ସ୍ଵଇଚ୍ଛାରେ। ବରଘରକୁ ଗମନ କରିଥିଲେ ବିନା ଯାନିଯୌତୁକରେ।
ମହାଭାରତରେ ସାବିତ୍ରୀଙ୍କୁ ବର୍ଣ୍ଣନା କରାଯାଇଛି ‘କନ୍ୟା ତେଜସ୍ୱିନୀ’ ଭାବେ। ତାଙ୍କ ତେଜ-ବ୍ୟକ୍ତିତ୍ଵ ଆଗରେ ସେ ସମୟର କୌଣସି ପୁରୁଷ ଛିଡାହେଇପାରୁ ନଥିଲେ। ମାଦ୍ର ଦେଶର ରାଜା ଅଶ୍ଵପତି ସାବିତ୍ରୀ ଦେବୀଙ୍କୁ ପାର୍ଥନା କରି ତାଙ୍କୁ ପାଇଥିଲେ କନ୍ୟା ରୂପେ, ଯେପରି ଦକ୍ଷରାଜ ଦେବ ମାତା ଅଦିତିଙ୍କୁ ତପସ୍ୟା ଦ୍ଵାରା ତୁଷ୍ଟ କରି ପାଇଥିଲେ ସତୀଙ୍କୁ।
ସାବିତ୍ରୀଙ୍କ ବିବାହ ସମୟ ଉପସ୍ଥିତ ହୁଅନ୍ତେ , ଅଶ୍ଵପତି ତାଙ୍କ ପାଇଁ କିଭଳି ପତ୍ର ଚୟନ କରିବେ ସ୍ଥିର କରି ନ ପାରି ତାହା ଛାଡିଦେଲେ ସାବିତ୍ରୀଙ୍କ ଉପରେ। ପିତାଙ୍କ ମାନସିକ ଅବସ୍ଥାକୁ ଅନୁଭବ କରି ସାବିତ୍ରୀ ନିଜେ ବାହାରିଥିଲେ ବର ସନ୍ଧାନରେ।
ଏମିତି ଦିନେ ରଥାରୂଢ ସାବିତ୍ରୀ ବନସ୍ତ ମଧ୍ୟରେ ଭେଟିଥିଲେ ଶାଲ୍ଵ ରାଜପୁତ୍ର ସତ୍ୟବାନଙ୍କୁ। ସେତେବେଳେ ଶାଲ୍ଵ ନରପତି ଦ୍ୟୁମତସେନ ଷଡ଼ଯନ୍ତ୍ରର ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ବାସ କରୁଥାନ୍ତି ନିଘଞ୍ଚ ଅରଣ୍ୟ ମଧ୍ୟରେ ସପରିବାର। ପର୍ଣ୍ଣ-କୁଟୀର ଭିତରେ ଅତି ସାଧାରଣ ଜୀବନଯାପନ କରୁଥାନ୍ତି ସେମାନେ।
ସତ୍ୟବାନଙ୍କ ରୂପ-ଗୁଣ ଦ୍ଵାରା ସାବିତ୍ରୀ ମୁଗ୍ଧ ହୋଇ କେବଳ ତାଙ୍କୁ ବିବାହ କରିବେ ବୋଲି ହୃଦୟ ଭିତରେ ଅନୁଭବ କଲେ। ସତ୍ୟବାନଙ୍କ ଜୀବନ ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ସୂଚନା ପାଇବା ସତ୍ତ୍ୱେ ସେ ତାଙ୍କୁ ବିବାହ କରି ରହିଥିଲେ ସେହି ଅରଣ୍ୟରେ। ଅଶ୍ଵପତି ଚାହିଁଥିଲେ ନିଜ କନ୍ୟାର ଖୁସି ପାଇଁ ଅନେକ କିଛି ଦେଇପାରିଥାନ୍ତେ। କିନ୍ତୁ ସାବିତ୍ରୀ ବା ସତ୍ୟବାନ କିଛି ବି ଚାହିଁ ନ ଥିଲେ ରାଜାଙ୍କଠାରୁ।
ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା। ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ଯମରାଜ ଆସିଲେ। ସାବିତ୍ରୀ କିନ୍ତୁ ତାଙ୍କୁ ଛାଡିବା ଲାଗି ପ୍ରସ୍ତୁତ ନଥିଲେ। ସତ୍ୟବାନ ଆତ୍ମା ସହ ଯିବାକୁ ସ୍ଥିର କରିସାରିଥିଲେ ସେ। ଯମ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ କହିଲେ।
ସାବିତ୍ରୀ ଚାହିଁଲେ ଶ୍ବଶୁରଙ୍କ ଦୃଷ୍ଟିଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମାଆ ହେବା ପାଇଁ। ଯମ ‘ତଥାସ୍ତୁ’ କହିବା ଛଡା ଅନ୍ୟ ଉପାୟ ନ ଥିଲା। ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ଵାମୀରେ ସନ୍ତାନ ଜନ୍ମ କରିବା ମଧ୍ୟ ସମ୍ଭବ ନଥିଲା। ଏଣୁ ଯମରାଜ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇଦେଲେ।