ବାବ୍ରି ମସଜିଦର ଆଧାରଶୀଳା ରଖିବାକୁ ପିଏମ ମୋଦିଙ୍କୁ ମୁସଲିମ ସମ୍ପ୍ରଦାୟର ଅପିଲ

ଓଡ଼ିଆ ବାର୍ତ୍ତା/ ଲକ୍ଷୌ:  ଅଯୋଧ୍ୟାରେ ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ ମନ୍ଦିର । ହେଲେ ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଧନ୍ନିପୁରରେ ନିର୍ମାଣ ହେବାକୁ ଥିବା ମସଜିଦର କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ଯାହାକୁ ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାବ୍ରି ମସଜିଦର ସମର୍ଥକ ଇକବାଲ ଅନସାରୀ ଏଥିରେ ହସ୍ତକ୍ଷେପ କରିବାକୁ ସରକାରଙ୍କୁ ନିବେଦନ କରିଥିବାବେଳେ, ଅନେକ ମୁସଲମାନ ବୁଦ୍ଧିଜୀବୀ ଚାହୁଁଛନ୍ତି ଯେ ଏହି ମସଜିଦର ଆଧାରଶୀଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖନ୍ତୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁସଲିମ ସମ୍ପ୍ରଦାୟକୁ ମସଜିଦ ପାଇଁ ଅଯୋଧ୍ୟାରେ ୫ ଏକର ଜମି ଦିଆଯାଇଥିଲା । ଏହି ସମୟ ମଧ୍ୟରେ, ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ହୋଇଥିବାବେଳେ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଗଠନ କରାଯାଇଥିଲା । ହେଲେ ଏବେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଛି, କିନ୍ତୁ ମସଜିଦ ନିର୍ମାଣର କୌଣସି ଚିହ୍ନ ନାହିଁ । ଯାହାକୁ ନେଇ ମୁସଲମାନ ସମ୍ପ୍ରଦାୟ ଅତ୍ୟନ୍ତ ନିରାଶ ହୋଇଛି । ମସଜିଦ ନିର୍ମାଣରେ ବିଳମ୍ବ ପାଇଁ ମସଜିଦ ଟ୍ରଷ୍ଟକୁ ଦାୟୀ କରିଛନ୍ତି ବାବ୍ରି ମସଜିଦର ସମର୍ଥକ ଇକବାଲ ଅନସାରୀ । ସେ କହିଛନ୍ତି ଯେ, ‘ସରକାର ଏହି ଜମି ଦେଇଛନ୍ତି । ମସଜିଦ ପାଇଁ ୫ ଏକର ଜମି ମିଳିଛି, ଏ ବିଷୟରେ ସମଗ୍ର ବିଶ୍ୱ ଜାଣିଛି, କିନ୍ତୁ ଟ୍ରଷ୍ଟିମାନେ ଏହାକୁ ସେମାନଙ୍କର ସମ୍ପତ୍ତି ବୋଲି ଭାବିନେଇଛନ୍ତି ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାର ନକ୍ସା ମଧ୍ୟ ଅଣାସରିଛି, ହେଲେ କୌଣସି ଲାଭ ନାହିଁ’ । ସେ ଆହୁରି କହିଛନ୍ତି ଯେ, ‘ମସଜିଦ ନିର୍ମାଣରେ ଏତେ ବିଳମ୍ବ କାହିଁକି ହେଉଛି ବୋଲି ଦେଶ ତଥା ବିଶ୍ବର ଲୋକମାନେ ପଚାରୁଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କିଛି ଦିନ ମଧ୍ୟରେ ତାହା ପ୍ରତିଷ୍ଠା ମଧ୍ୟ ହେବ । କିନ୍ତୁ ମସଜିଦ ପାଇଁ ଗୋଟିଏ ବି ଇଟା ରଖିବାକୁ କେହି ପ୍ରସ୍ତୁତ ନୁହଁନ୍ତି,’। ସେ କହିଛନ୍ତି ଯେ, ଯଦି ଟ୍ରଷ୍ଟିମାନେ ସଚ୍ଚୋଟ ହୋଇଥାନ୍ତେ ତେବେ କାମ ଆରମ୍ଭ ହୋଇସାରନ୍ତାଣି । ତେଣୁ ଆମର ଚାହିଦା ହେଉଛି ସରକାର ଟ୍ରଷ୍ଟ ଉପରେ ନଜର ରଖିବା ଉଚିତ ଏବଂ ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଉଚିତ । ବର୍ତ୍ତମାନ ଲୋକମାନେ ଟ୍ରଷ୍ଟର ଲୋକଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି, ତେଣୁ ସରକାର ଟ୍ରଷ୍ଟିର ସଦସ୍ୟମାନଙ୍କୁ ପରିବର୍ତ୍ତନ କରିବା ଉଚିତ । ବାବ୍ରି ମସଜିଦ୍‌ର ମୁଫତି ଅବଦୁଲ୍ଲା ବାଦଶାହ ଖାନ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ମସଜିଦର ଆଧାରଶୀଳା ରଖିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ‘ସେ ସମଗ୍ର ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁସଲମାନ ଲୋକମାନେ ମଧ୍ୟ ଭାରତରେ ରହୁଛନ୍ତି । ତେଣୁ ସେ ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଅଟନ୍ତି । ଯେତେବେଳେ ପିଏମ ରାମ ମନ୍ଦିରର ଆଧାରଶୀଳା ରଖି ଭୂମିପୂଜନ କଲେ ତେବେ ବାବ୍ରୀ ମସଜିଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ସ୍ଥାନକୁ ଯାଆନ୍ତୁ ଏବଂ ସେଠି ସେ ମସଜିଦ ନିର୍ମାଣ ପାଇଁ ଆଧାରଶୀଳା ରଖନ୍ତୁ । ସେ ଏପରି ଏକ ମସଜିଦ ନିର୍ମାଣ କରନ୍ତୁ ଯାହା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିବ’। ଇଣ୍ଡିଆନ୍ ମୁସଲିମ୍ ଲିଗ୍ ସଭାପତି ମହମ୍ମଦ ଇସ୍ମାଇଲ୍ ଅନସାରୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.