ଭୁବନେଶ୍ବର,୩/୬ : ବାର ମାସରେ ତେର ପର୍ବ ପାଳନ କରୁଥିବା ଓଡିଆ ଗୃହିଣୀ ଆଜି ସ୍ବାମୀର ଦୀର୍ଘ ଜୀବନ କାମନାକରି ପାଳନ କରିଛି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ହେଉଛି ଖାଣ୍ଟି ଓଡିଆ ବ୍ରତ । ଓଡିଶାର ପୁରପଲ୍ଲୀରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ରମଣୀ ମାନେ । ସତୀ, ସ୍ବାଧୀ, ପତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ କରିବା ଏହି ବ୍ରତର ମୂଳ ଲକ୍ଷ୍ୟ । ସାବିତ୍ରୀ ବ୍ରତ ପାଳନ କରି ନାରୀ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାଏ । ସାବିତ୍ରୀ ବ୍ରତ କଥାରେ ଉଲ୍ଲେଖ ରହିଛି ଯେ ଜ୍ୟୋଷ୍ଠ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ନାମ ସ୍ମରଣ କରି ଯେଉଁ ନାରୀ ପବିତ୍ର ମନରେ ସାବିତ୍ରୀ ବ୍ରତ କରିବ ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ । ଏହାସହ ପତିପରାୟଣ ହୋଇ ପୁତ୍ରବତୀ, ଧନବତୀ ହେବ ଓ ଅନ୍ତିମ ସମୟରେ ବୈକୁଣ୍ଠ ଗମନ କରିବ । ଏହି ବିଶ୍ବାସକୁ ନେଇ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳିତ ହୋଇଛି ଏହି ମହାନ ବ୍ରତ ।
ପୌରାଣିକ ବଥାବସ୍ତୁ
ଜ୍ୟୋଷ୍ଠ ଅମାବାସ୍ୟାରେ ପାଳିତ ହେଉଥିବା ସାବିତ୍ରୀ ବ୍ରତ ମହାଭାରତ ଯୁଗର କଥା ବସ୍ତୁକୁ ନେଇ ଗତିଶିଳ । ପୌରାଣିକ ବର୍ଣ୍ଣନା ଅନୁସାରେ ମାଦ୍ର ଦେଶର ରାଜା ଅଶ୍ଵପତି ସାବିତ୍ରୀ ଦେବୀଙ୍କୁ ପାର୍ଥନା କରି ଏକ କନ୍ୟା ରତ୍ନ ଲାଭ କରିଥିଲେ । ସେହି କନ୍ୟାର ନାମ ସାବିତ୍ରୀ ରଖାଗଲା । କନ୍ୟାର ବିବାହ ସମୟ ଉପସ୍ଥିତ ହେବାରୁ ରାଜା ଅଶ୍ଵପତି ତାଙ୍କ ପାଇଁ କିଭଳି ପତ୍ର ଚୟନ କରିବେ ସ୍ଥିର କରି ନ ପାରି ତାହା ଛାଡିଦେଲେ ସାବିତ୍ରୀଙ୍କ ଉପରେ । ପିତାଙ୍କ ମାନସିକ ଅବସ୍ଥାକୁ ଅନୁଭବ କରି ସାବିତ୍ରୀ ନିଜେ ବାହାରିଥିଲେ ବର ସନ୍ଧାନରେ ।
ଦିନେ ରଥାରୂଢ ସାବିତ୍ରୀ ବନସ୍ତ ମଧ୍ୟରେ ଭେଟିଥିଲେ ଶାଲ୍ଵ ରାଜପୁତ୍ର ସତ୍ୟବାନଙ୍କୁ । ସେତେବେଳେ ଶାଲ୍ଵ ନରପତି ଦ୍ୟୁମତସେନ ଷଢଯନ୍ତ୍ରର ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ନିଘଞ୍ଚ ଅରଣ୍ୟରେ ବାସକରୁଥାନ୍ତି । ସପରିବାର ଏକ ପର୍ଣ୍ଣ- କୁଟୀର ଭିତରେ ଅତି ସାଧାରଣ ଜୀବନଜାପାନ କରୁଥାନ୍ତି । ସତ୍ୟବାନଙ୍କ ରୂପ, ଗୁଣ ଦ୍ଵାରା ସାବିତ୍ରୀ ମୁଗ୍ଧ ହୋଇ କେବଳ ତାଙ୍କୁ ବିବାହ କରିବେ ବୋଲି ହୃଦୟ ଭୀତରେ ଅନୁଭବ କଲେ । ସତ୍ୟବାନଙ୍କ ଜୀବନ ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ସୂଚନା ପାଇବା ସତ୍ତ୍ୱେ ସେ ତାଙ୍କୁ ବିବାହ କରି ରହିଥିଲେ । ଅଶ୍ଵପତି ଚାହିଁଥିଲେ ନିଜ କନ୍ୟାର ଖୁସି ପାଇଁ ଅନେକ କିଛି ଦେଇପାରିଥାନ୍ତେ । କିନ୍ତୁ ସାବିତ୍ରୀ ବା ସତ୍ୟବାନ କିଛି ବି ଚାହିଁ ନ ଥିଲେ ରାଜାଙ୍କ ଠାରୁ ।
ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା । ସତ୍ୟବାନଙ୍କ ଆତ୍ମାକୁ ନେବା ମୃତ୍ୟୁର ଦେବତା ପାଇଁ ଯମ ରାଜ ଆସିଲେ । ସାବିତ୍ରୀ କିନ୍ତୁ ତାଙ୍କୁ ଛାଡିବା ଲାଗି ପ୍ରସ୍ତୃତ ନ ଥିଲେ । ସତ୍ୟବାନ ଆତ୍ମା ସହ ଯିବାକୁ ସ୍ଥିର କରିସାରିଥିଲେ ସେ । ଯମ ତାଙ୍କୁ ବିଝାଇବାରେ ବିଫଳ ହେବା ପରେ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ କହିଲେ । ସାବିତ୍ରୀ ଚାହିଁଲେ ଶ୍ଵସୁରଙ୍କ ଦୃଷ୍ଟି ଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମାଆ ହେବା ପାଇଁ । ଯମ “ତଥ୍ୟାସ୍ତୁ” କହିବା ଛଡା ଅନ୍ୟ ଉପାୟ ନ ଥିଲା । ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ଵାମୀରେ ସନ୍ତାନ ଜନ୍ମ କରିବା ମଧ୍ୟ ସମ୍ଭବ ନ ଥିଲା । ଏଣୁ ଯମ ରାଜ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇଦେଲେ । ଏହା ହେଉଛି ସାବିତ୍ରୀ ବ୍ରତର ସଂକ୍ଷିପ୍ତ କଥା ବସ୍ତୁ ।
ସଧବାଙ୍କ ଶ୍ରେଷ୍ଠ ବ୍ରତ ସାବିତ୍ରୀ
ସାରା ଓଡିଶାରେ ଏହି ବ୍ରତ ପାଳିତ ହେଉଥିବାବେଳେ ଅଞ୍ଚଳ ଭିତ୍ତିରେ ସାମାନ୍ୟ ଭିନ୍ନତା ପରିଳକ୍ଷିତ ହୁଏ । ଶିଳ ଶିଳପୁଆ ଥୋଇ କେହି କେହି ବଟ ମୂଳରେ ତ କିଏ ଚଉଁରା ମୂଳରେ, ସାବିତ୍ରୀ ମନ୍ଦିରରେ, ଗାଁ ଚଉପାଢି କିମ୍ବା ନିଜ ବାସଭବନରେ ଏହି ବ୍ରତକୁ ପାଳନ କରିଥାନ୍ତି । କେଉଁଠି ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କ ପୂଜା ହେଉଥିବାବେଳେ କେଉଠି ଏହି ତିନିଜଣଙ୍କ ସହ ଲକ୍ଷ୍ମୀନାରାୟଣଙ୍କ ପୂଜା ହୁଏ । ତେବେ ସେ ଯାହାହେଉ ଏହି ପର୍ବ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଅତୁଟ ଭାବର ବନ୍ଧନକୁ ଅଧିକ ମଜଭୂତ କରିବା ସହ ସାମୀଜିକ ସଂହତି ଓ ସ୍ନେହ ପ୍ରେମର ଫଲଗୁ ସୃଷ୍ଟି କରି ସଧବାଙ୍କ ଶ୍ରେଷ୍ଠ ବ୍ରତ ଭାବେ ଏହା ଓଡିଶାର ଧାର୍ମିକ ଭାବନାକୁ ପରିପୃଷ୍ଠ କରିବାରେ ସହାୟକ ହୋଇପାରିଛି ।
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ