ରାୟଗଡା ଜିଲ୍ଲା ସ୍ୱଳ୍ପ ସଂଚୟ ସଂସ୍ଥା ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସ୍ୱଳ୍ପ ସଂଚୟ ସଂସ୍ଥା ତରଫରୁ ବିଶ୍ୱ ମିତବୟିତା ଦିବସ ଓ ସଂଚୟ ପାଳନ ଅବସରରେ ରାୟଗଡା ସହରର ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡ଼ି) ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସଂଚୟ ଓ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବା ପ୍ରତି ସଚେତନତା ସୃଷ୍ଟି କରିବାର ଏକ ବାର୍ତ୍ତା ଅନ୍ତର୍ନିହିତ ଥିଲା। ଏହି କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ବିଠାଳ ନୀଳୋତ୍ପଳ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡା ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଜିସିଡ଼ି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପ୍ରଧାନ, ବରିଷ୍ଠ ଶିକ୍ଷକ ଜେ. ମୁରଲୀ, କ୍ରୀଡା ଶିକ୍ଷକ ସୁନୀଲ ମହନ୍ତଙ୍କ ସମେତ ଡାକ ଏଜେଣ୍ଟ ଶ୍ରୀ ବେହେରା, ଶ୍ରୀ ପଟ୍ଟନାୟକ ଓ ଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବାର ଉପକାରିତା ଏବଂ ସଂଚୟର ଗୁରୁତ୍ୱ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ପ୍ରୋତ୍ସାହିତ କରିଥିଲେ। ଭାରତ ସରକାରଙ୍କ ଦ୍ୱାରା ଡାକ ବିଭାଗ ଓ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କରେ ପ୍ରଚଳିତ ବିଭିନ୍ନ ସଂଚୟ ଯୋଜନାମାନ ଓ ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଯେଉଁଥିରେ ସରକାର ସର୍ବାଧିକ ୫ଲକ୍ଷରୁ ସର୍ବନିମ୍ନ ୪ ହଜାର ଟଙ୍କା ପର୍ଯ୍ୟନ୍ତର ପୁରସ୍କାର ରାଶି ପ୍ରତ୍ୟେକ ବର୍ଷ ପ୍ରଦାନ କରନ୍ତି ତାହା ଉପରେ ଆଲୋକପାତ କରାଯାଇଥିଲା। ୩୧ଅକ୍ଟୋବରରୁ ନଭେମ୍ବର ୧୪ତାରିଖ ପର୍ଯ୍ୟନ୍ତ ବାର୍ଷିକ ସଂଚୟ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତା, ଆର୍ଥିକ ସାକ୍ଷାରତା ଶିବିର ଓ ଭ୍ରାମ୍ୟମାଣ ସଂଚୟ ରଥ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ରାଜ୍ୟ ଆର୍ଥିକ ସେବା ଓ ସଂଚୟ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟବ୍ୟାପି ସଂଚୟ ପକ୍ଷ ପାଳନ କରାଯାଉଛି। ଯେପରି ବୃକ୍ଷର ବିକାଶ ସ୍ୱଳ୍ପ ଗତିରେ ହୋଇଥାଏ ଆଉ ତାକୁ ପୂର୍ଣ୍ଣତା ପାଇବା ପାଇଁ ଧର୍ଯ୍ୟ ଧାରଣ କରିବାକୁ ପଡେ। ସେହିପରି ଧର୍ଯ୍ୟ ସହିତ ସ୍ୱଳ୍ପ ମାତ୍ରାରେ ଅର୍ଥ ସଂଚୟ କଲେ ଆଗକୁ ଖରାଦିନ ଖରାବେଳେ ବୃକ୍ଷର ଝଙ୍କାଳିଆ ଛାୟା ଭଳି ସଂଚିତ ଅର୍ଥ ଆଗାମୀ ଦିନରେ ଆସୁଥିବା ଆର୍ଥିକ ସମସ୍ୟା ଓ ବିପଦରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଭାରପ୍ରାପ୍ତ ଜିଲ୍ଲା ସଂଚୟ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.