ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଦାନର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସ୍କିମ ବା ନିର୍ବାଚନୀ ଚାନ୍ଦାର ବୈଧତାକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୭-୧୮ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଦାନ ସଂକ୍ରାନ୍ତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟକୁ ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିବାକୁ ଇସିଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଯୁକ୍ତି ବାଢ଼ିଥିଲେ ଯେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ହେଉଛି ଉପଯୁକ୍ତ ଚ୍ୟାନେଲ୍ ମାଧ୍ୟମରେ ରାଜନୈତିକ ପାଣ୍ଠି ପ୍ରବାହ ପାଇଁ ଅର୍ଥ ସୁନିଶ୍ଚିତ କରିବା ପାଇଁ ଏକ ନିରପେକ୍ଷ ପଦ୍ଧତି। ଏହାସହ ଦାନ କରିଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବା ଜରୁରୀ ବୋଲି ସେ ଯୁକ୍ତି ବାଢିଥିଲେ। ବର୍ତ୍ତମାନର ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥାର ତ୍ରୁଟିକୁ ଦୂର କରିବା ପାଇଁ ସରକାର ରାଜନୈତିକ ଦାନ ପାଇଁ ଆଉ ଏକ ବ୍ୟବସ୍ଥା ପ୍ରସ୍ତୁତ କରିପାରନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ପ୍ରଧାନ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି ଯେ ବର୍ତ୍ତମାନର ଯୋଜନାର ଅଭାବକୁ ଦୂର କରିବା ପାଇଁ ଏକ ଅନୁକୂଳ ବ୍ୟବସ୍ଥା ସୃଷ୍ଟି କରିବା ଏବଂ କେବଳ ନଗଦ ବ୍ୟବସ୍ଥାକୁ ପ୍ରତ୍ୟାବର୍ତ୍ତନ ନକରିବା ଲକ୍ଷ୍ୟ ରହିଛି। ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ନଗଦ ଦାନର ବିକଳ୍ପ ଭାବେ କେନ୍ଦ୍ର ସରକାର ୨୦୧୭ରେ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଓ ୧ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ଜାରି କରାଯାଇଥାଏ। ଏହି ବଣ୍ଡ ଭାରତର ଯେକୌଣସି ନାଗରିକ କିମ୍ବା ଭାରତରେ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା କିଣାଯାଇପାରିବ। ଏହା ପରେ କ୍ରୟର ୩୦ ଦିନ ମଧ୍ୟରେ ଭାରତର ଯେକୌଣସି ପଞ୍ଜିକୃତ ରାଜନୈତିକ ଦଳକୁ ଏହି ବଣ୍ଡ ଦାନ କରାଯାଇପାରିବ। ତେବେ ଆବେଦନକାରୀମାନେ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତାକୁ ଚ୍ୟାଲେଞ୍ଜ କରି କହିଛନ୍ତି, ଏହି ଯୋଜନାରେ ରାଜନୈତିକ ଦଳଗୁଡ଼ିକୁ ଅସୀମିତ ଓ ଅନିୟନ୍ତ୍ରିତ ପାଣ୍ଠି ଯୋଗାଣର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଦାତାଙ୍କ ପରିଚୟକୁ ଗୋପନୀୟ ରଖାଯାଉଛି, ଯାହା ରାଜନୈତିକ ପାଣ୍ଠି ଯୋଗାଣରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ କ୍ଷୁର୍ଣ୍ଣ କରୁଛି। ବିରୋଧୀ ଦଳ ଅପେକ୍ଷା ଅଧିକ ସମ୍ବଳ ଓ ତଥ୍ୟ ହାସଲ କରୁଥିବା ଶାସକ ଦଳକୁ ଏହି ଯୋଜନା ଏକ ଅହେତୁକ ସୁବିଧା ଦେଉଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ସମ୍ଭାବନା ରହିଛି। ଦେଶର ରାଜନୈତିକ ପାଣ୍ଠି ଉପରେ ଏହି ରାୟର ଯଥେଷ୍ଟ ପ୍ରଭାବ ପଡ଼ିବ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.