କ୍ରସବୋ ସୁଟିଂ ଚାମ୍ପିୟନସିପର ଚମ୍ପିୟାନ ଭାଇଭଉଣୀଙ୍କୁ ରାୟଗଡାରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଗ୍ରା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରୁ ଚମ୍ପିୟାନ ହୋଇ ଫେରିଛନ୍ତି ଭାଇଭଉଣୀ ଲୋହିତ ଓ ନେହା | ଆଉ ରାୟଗଡାରେ କରାଯାଇଛି ଉଭୟଙ୍କୁ ଭବ୍ୟ ସ୍ୱାଗତ | ଆଜି ଟ୍ରେନ ଯୋଗେ ରାୟଗଡାରେ ପହଂଚିବା ପରେ ବାପା ଆନନ୍ଦ ଓ ମା ମାଙ୍ଗା ପଟ୍ଟନାୟକଙ୍କ ସମେତ ରାୟଗଡା ବିଜେଡିର ବରିଷ୍ଠ ସଂଗଠକ କୋଣ୍ଡାବାବୁ, ବରିଷ୍ଟ ଆଇନଜୀଵୀ ଏଦୁ ମଧୁ, ବିରଜା ପାତ୍ର, କେସି ପଟ୍ଟନାୟକ, ରାୟଗଡା ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ, ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ କେ.ଶ୍ରୀନିବାସ, ବିଜେପି ନେତା ପଦ୍ମନାଭ ଦାଶ, ମଞ୍ଜୁଳା ମିଣିୟାକଙ୍କ ସମେତ ଶିଷ୍ଠା କରଣ ସଙ୍ଘ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ପରେ ନେହା ଓ ଲୋହିତ ନିଜ ପ୍ରଶଂସଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ବାଜା ର ତାଳେ ତାଳେ ରେଳ ଷ୍ଟେସନ ଠାରୁ ମା ମଝିଘରିଆଣି ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା କରିଥିଲେ | ଇଣ୍ଡିଆନ କ୍ରସବୋ ସୁଟିଂ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ପୋଲିସ ଲାଇନ ପଡିଆ ଠାରେ ୧୦ତମ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା | ଏଥିରେ ରାୟଗଡା ସହରର ହାଉସିଂ ବୋର୍ଡ଼ କଲୋନୀରେ ରହୁଥିବା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ଏ. ନେହା ପଟ୍ଟନାୟକ ୱମେନ୍ସ ଓପେନ ଫ୍ରି ଷ୍ଟାଇଲ ବର୍ଗରେ ଏବଂ ପୁଅ ଏ. ଲୋହିତ ପଟ୍ଟନାୟକ ମେନ୍ସ ଓପେନ ଷ୍ଟାଣ୍ଡାର୍ଡ ବର୍ଗରେ ଭାରତ ପକ୍ଷରୁ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ପଦକ ଜିତି ଦେଶକୁ ତଥା ଓଡିଶା ସମେତ ରାୟଗଡା ଜିଲ୍ଲାକୁ ଗୌରବନ୍ୱିତ କରିଛନ୍ତି |

ଏହି ଚାମ୍ପିୟନସିପର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଏସପି ସିଂ ବାଘଲେ, ୟୁପି ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବେବି ରବି ମୌର୍ୟ, ବିଧାୟକ ରାଜା ମହେନ୍ଦ୍ର ସିଂ, ସିବିଏସଇ ସଂଯୋଜକ ରମାନନ୍ଦ ଚୌହାନ, ଆଗ୍ରା ପୋଲିସ କମିଶନର ଡ଼ଃ ପ୍ରିତେନ୍ଦ୍ର ସିଂ, ଏୟାର କୋମଡର ଏସ. କେ. ଗୁପ୍ତା, ଆଗ୍ରା ଏସିପି କେଶବ କୁମାର ଚୌଧୁରୀ, ଡିସିପି ରବି କୁମାର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିମାନଙ୍କୁ ପଦକ ଓ ମାନପତ୍ର ବିତରଣ କରିଥିଲେ | ଏହି କ୍ରସବୋ ଚାମ୍ପିୟନସିପରେ ଭାରତ ସମେତ ଏଷ୍ଟଓନିଆ, ଯୁନାଇଟେଡ଼ କିଙ୍ଗଡମ, ଯୁନାଇଟେଡ଼ ଷ୍ଟେଟସ ଅଫ ଆମେରିକା, ସ୍ବେଡେନ, ଅଷ୍ଟ୍ରେଲିଆ ଓ ନିୟୁଜଲାଣ୍ଡ ଭଳି ସାତୋଟି ଦେଶ ଭାଗ ନେଇଥିଲେ | ଚମ୍ପିୟାନ ହୋଇ ଫେରିବା ପରେ ଭାଇଭଉଣୀ ଏହି ସଫଳତାର ଶ୍ରେୟ ନିଜ ବାପା ମା ଙ୍କୁ ଏବଂ ନିଜ କୋଚଙ୍କୁ ଦେଇଛନ୍ତି | ରାୟଗଡାକୁ ପୁଣି ଗୌରବନ୍ୱିତ କଲେ ନେହା ଓ ଲୋହିତ

ରାୟଗଡାର ନେହା ଓ ଲୋହିତ ଦୁଇ ଭାଇ ଭଉଣୀ କ୍ରସବୋ ଭଳି କ୍ରୀଡାରେ ସଫଳତା ପାଇବା ସହ ନିଜ ଉଜ୍ୱଳ ଭବିଷ୍ୟତ ଗଠନ କରିବାରେ ମଧ୍ୟ କଠିନ ପରିଶ୍ରମ କରୁଥିବାରୁ ରାୟଗଡା ତଥା ଓଡିଶାକୁ ସର୍ବ ଭାରତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଗୌରବନ୍ୱିତ କରିପାରିଥିବାରୁ ମୁଁ ବହୁତ ଖୁସି ବୋଲି ବାପା ଆନନ୍ଦ ପଟ୍ଟନାୟକ ପ୍ରକାଶ କରିଛନ୍ତି | ରାୟଗଡା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ତଥା ଜିଲ୍ଲା ବାହାର ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.