ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗାଁକୁ ଭାରତର ଆତ୍ମା ବୋଲି କୁହାଯାଇଥାଏ। ଗାଁର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କୁହାଯାଏ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ ପାଣି ପରି ଅର୍ଥ ଖର୍ଚ୍ଚ ହୋଇଚାଲିଛି। ସରକାରଙ୍କ ପ୍ରଚେଷ୍ଟା ବଳରେ ବଦଳି ଚାଲିଛି ଗାଁର ରୂପରେଖ କିନ୍ତୁ ଅନ୍ୟପଟେ ଗ୍ରାମୀଣ ଜୀବନ ଆଜି ଅବକ୍ଷୟମୁଖି ହୋଇଚାଲିଛି। ଭୌତିକ ସୁଖକୁ ଜୀବନର ସର୍ବୋଚ୍ଚ ସୁଖ ବୋଲି ଧରିନେବା ଏବଂ ଏହି ସୁଖ କେବଳ ସହରରେ ଉପଲବ୍ଧ ବୋଲି ଅନୁଭବ କରିବା ଏହାର ମୁଖ୍ୟ କାରଣ ପାଲଟିଛି। ଆଉ ଆଗଭଳି ସଂନ୍ଧ୍ୟାରେ ଧୁଳି ଉଡ଼ାଇ ଗାଁ ଭିତରକୁ ଆସୁ ନାହିଁ ଗାଇଗୋଠ। ଗାଁ ଲୋକମାନେ ଧୀରେ ଧୀରେ ଗୋପାଳନ ପ୍ରତି ବିମୁଖ ହେଲେଣି। ଗୋଚର ଜମିକୁ ଅନେକ ଲୋକ ଜବରଦଖଲ କରି ଚାଷ କରିବା ସହ ଘରଦ୍ବାର କରି ରହୁଛନ୍ତି। ଏକ ସମୟରେ ପ୍ରତ୍ୟେକ ପରିବାରର ବାଡ଼ିରେ ପନିପରିବା ଚାଷ ହେଉଥିଲା। କିନ୍ତୁ ଆଜି ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଯେଉଁମାନେ ପରିବା ଚାଷ କରୁଛନ୍ତି ସେମାନେ ବ୍ୟବସାୟିକ ଦୃଷ୍ଟିରୁ କରୁଛନ୍ତି, ବାକି ଲୋକମାନେ ନିଜ ଆଳସ୍ୟଗୁଣ ତଥା କର୍ମ ବିମୁଖତା ପାଇଁ ହାଟରୁ ପନିପରିବା କିଣୁଛନ୍ତି। ଫଳରେ ବର୍ଷସାରା ପରିବା ମୂଲ୍ୟରେ ହାତ ମାରି ହେଉ ନାହିଁ। ହେଟାବାଘ, ବିଲୁଆ, ଶାଳିଆପତନି, କୋକି, ନେଉଳ ଇତ୍ୟାଦି ବଞ୍ଚି ରହିବା ପାଇଁ ଯେଉଁ ପରିବେଶର ଆବଶ୍ୟକତା ରହିଛି ତାହା ପ୍ରାୟ ଉଜୁଡ଼ି ଗଲାଣି। ଗ୍ରାମାଞ୍ଚଳରେ ଦେଖାଯାଉଥିବା ଅନେକ ପକ୍ଷୀ ଉଚ୍ଚବୃକ୍ଷର ଅଭାବରୁ ଆଉ ବସାବାନ୍ଧି ପାରୁନାହାନ୍ତି। ଫଳରେ ସେମାନେ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଲେଣି। ଗାଁରେ ହେଉଥିତ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗଭଳି ଲୋକମାନଙ୍କ ମଧ୍ୟରେ ଏକତା କି ଆଗ୍ରହ ନାହିଁ। ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ କଥା ଶୁଣିଲେ ଗାଁ ଲୋକମାନେ ନାକ ଟେକୁଛନ୍ତି। ନିଶାଡ଼ିମାନେ ଗ୍ରାମାଞ୍ଚଳରେ ବେଶି ଭୟର ବାତାବରଣ ସୃ୍ଷ୍ଟି କରୁଛନ୍ତି। କଥା କଥାକେ ଗଣ୍ଡଗୋଳ ମାରପିଟ। ଦିନଥିଲା ଗାଁର ବଡ଼ ବଡ଼ ବିବାଦ ଭାଗବତ ଟୁଙ୍ଗିରେ ସମାଧାନ ହେଉଥିଲା। କିନ୍ତୁ ଆଜି ଛୋଟ ଛୋଟ କଥାରେ ଲୋକେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଗ୍ରାମୀଣ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ପ୍ରତ୍ୟେକ ଗ୍ରାମରେ ରାଜନୀତି ପ୍ରବେଶ କଲାଣି। ଲୋକେ ଆଉ ଆଗଭଳି ସତ୍ୟ ଏବଂ ନ୍ୟାୟର ସମର୍ଥନ କରୁ ନାହାନ୍ତି। ଫଳରେ ପ୍ରତିଟି ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରି ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି।