ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ ଗେହଲଟ

ଓଡ଼ିଆ ବାର୍ତ୍ତା/ଜୟପୁର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ସର୍ଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ‘ପୂର୍ବରୁ ରାଜସ୍ଥାନ ଏକ ପଛୁଆ ରାଜ୍ୟ ଭାବରେ ଜଣାଯାଉ ଥିଲା, କିନ୍ତୁ ବର୍ତ୍ତମାନ ଏହା ବଦଳିଛି । ଆଜି ରାଜସ୍ଥାନରେ ଏମସ, ଆଇଆଇଟି, ଆଇଆଇଏମ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟ ମାନ ଅଛି । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲି, ରାଜ୍ୟରେ କେବଳ ୬ ଟି ବିଶ୍ୱବିଦ୍ୟାଳୟ ଥିଲା, ହେଲେ ବର୍ତ୍ତମାନ ୧୦୦ ରୁ ଅଧିକ କଲେଜ ଖୋଲାଯାଇଛି । ତେବେ ପୁଣିଥରେ ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ଆଣିବାକୁ ରାଜ୍ୟବାସୀ ଚାହିଁ ବସିଛନ୍ତି’ ।

ସୂଚନାନୁସାରେ, ନାମାଙ୍କନ ଦାଖଲ ପୂର୍ବରୁ ଅଶୋକ ଲାଲସାଗର ବାସଭବନରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କ ଭଉଣୀ ବିମଲା ଦେବୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ ପ୍ରତ୍ୟେକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ଗେହଲଟ ତାଙ୍କ ଭଉଣୀଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରୁଛନ୍ତି । ତେବେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ଯେଉଁଥିରେ ଛତିଶଗଡ ଏବଂ ମିଜୋରାମରେ ଭୋଟ୍ ଗ୍ରହଣ କରାଯିବ । ସେହିପରି ରାଜସ୍ଥାନରେ ବିଧାନସଭା ନିର୍ବାଚନ ୨୫ ନଭେମ୍ବରରେ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.