ତଲାଗାଁ ଠାରେ ବାଆଦି ଠାକୁରଙ୍କ ବାର୍ଷିକ ଦଶରା ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ତଲାଗାଁରେ ଆରାଧିତ ଆରଧ୍ୟ ଦେବତା ବାଆଦି ଠାକୁରଙ୍କ ବାର୍ଷିକ ଦଶରା ପର୍ବ ରବିବାର ଏକ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ସକାଳୁ ବଡପୋଡାଗୁଡା ଗ୍ରାମରୁ ପୁଝାରୀଙ୍କ ଘରୁ ଲାଠି ବାହାରିବା ପରେ ନିମନ୍ତ୍ରିତ ଅଞ୍ଚଳର ଅନେକ ଦେବାଦେବୀ ମାନଙ୍କ ଲାଠି ଯାତ୍ରାରେ ସାମିଲ ହୋଇଥିଲେ। ଏହାପରେ ତଲାଗାଁ ସ୍ଥିତ ବାଆଦି ଠାକୁରଙ୍କ ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଲାଠି କାଲିଶୀଙ୍କ ଗହଣରେ ଲାଠି ଶୋଭାଯାତ୍ରା ବାହାରି ଅନ୍ୟ ଏକ ପୂଜାସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ବିଧିମୁତାବକ୍ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନଙ୍କୁ ଦେବାଦେବୀ ମାନେ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁ ମାନେ ବାଆଦି ଠାକୁରଙ୍କ ଦର୍ଶନ ପାଇଁ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା ସହ ମୁଣ୍ଡରେ ଫୁଲ୍ ବିନଚି ଲଗାଇ ମୁଣ୍ଡିଆ ମାରି ଭକ୍ତମାନେ ଆର୍ଶୀବାଦ ଭିକ୍ଷା କରିଥିଲେ। ବାଆଦି ଠାକୁରଙ୍କ ଠାରେ ଶୁକ୍ଳଭୋଗରେ ଚୁଡାଗୁଡ଼, ନଡ଼ିଆ ନୈବେଦ୍ୟ ଦେଇ ପୂଜା କରାଯାଇ ଥିବାବେଳେ ପାର୍ଶ୍ଵର ଦେବାଦେବୀମାନଙ୍କ ପାଖରେ ମାନସିକଧାରି ଭକ୍ତମାନେ ରକ୍ତ ଭୋଗରେ ବୋଦା, କୁକୁଡ଼ା ଓ ପାରାକୁ ବଳୀ ଆକାରରେ ଅର୍ପଣ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ୍ ଓ ଘୁମୁରା ପ୍ରତିଯୋଗୀତା ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଜେଡି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟବକ୍ତା ଭାବେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଥିଲେ। ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଜିତେନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ଯମୁନା ନାଏକ, ନଦୀଗାଁ ସରପଞ୍ଚ କିରଣମୟୀ ବଣିଆ, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ, ବଡ଼ପୋଡ଼ାଗୁଡ଼ା ପେକ୍ସ ସଭାନେତ୍ରୀ ଦୁତିକା ନାଏକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। କଳାହାଣ୍ଡିର ବିରବାଦ୍ୟ ଘୁମୁରା ମୂଖ୍ୟ ଆକର୍ଷଣ ହୋଇଥିଲା। ମୋଟ ୧୨ଟି ଘୁମୁରା ଦଳ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ପୁରସ୍କାର ସାରସମାଲ, ଦ୍ବିତୀୟ ଅନ୍ତର୍ଲା ଓ ତୃତୀୟ ବାନେର ଦଳ ବିବେଚିତ ହୋଇଥିଲେ। ରେକର୍ଡ ଡ୍ୟାନ୍ସରେ ୧୦ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ବାଆଦି ଠାକୁରଙ୍କ ଦଶରା ପୁଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସଂପାଦକ ଭଜମନ ନାଏକ, କୋଷାଧ୍ୟକ୍ଷ ଧନବଳ ମାଝୀ, ପୂଜକ ବଲଭଦ୍ର ପୁଝାରୀ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିବାବେଳେ ଜଗଦୀଶ ନାଏକ, ହରିଶ୍ଚନ୍ଦ୍ର ନାଏକ, ଲାଲସିଂ ବାଗ, ଅମର ନାଏକ, ପରିକ୍ଷିତ ବେଶ୍ରା, ଲଲିତ ନାଏକ, ନରହରି ସୁନା, ହେମନ୍ତ ସୁନା ପ୍ରମୁଖ ଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ। ସୁଚାରୁରୂପେ ଘୁମୁରା ପ୍ରତିଯୋଗିତାର ମଞ୍ଚକୁ ଲିଙ୍ଗରାଜ ରାଠୋଡ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.