ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଓଡ଼ିଶାର ଜଣେ ସୁଦକ୍ଷ ରାଜନେତା ମହେଶ୍ୱର ମହାନ୍ତିଙ୍କ ଆବର୍ତ୍ତମାନରେ ଗୋଟିଏ ଯୁଗର ପରିସମାପ୍ତି ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ତାଙ୍କୁ ମେଡିକାଲ ଅଣାଯାଇଥିଲା। ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା ଓ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କର ରିକଭରି ହୋଇପାରିନଥିଲା। ଶେଷରେ ଆଜି ମଙ୍ଗଳବାର ଭୋର୍ ୩ଟା ୨୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ପୁରୀ ସମେତ ରାଜ୍ୟସାରା ଶୋକର ଛାୟା ଖେଳଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି, ”ମହେଶ୍ବର ମହାନ୍ତି ଜଣେ ଲୋକପ୍ରିୟ ଜନନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି।” ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।
୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ସେ ଜନ୍ମ ଗ୍ରହଣ କରିଥିଲେ। ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ଅବଶ୍ୟ ସେ ଛାତ୍ର ଜୀବନରୁ ରାଜନୀତି କରି ୧୯୭୩ରେ ପୁରୀ ଏସସିଏସ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଓଡିଆ ସୋସାଇଟିର ସେଥିଲେ ସାଧାରଣ ସମ୍ପାଦକ। ୧୯୭୮ରେ ସେ ପୁରୀ ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ। ପରେ ୧୯୮୫ରୁ ୧୯୯୦ ଓ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇ ଦୁଇ ଥର ପୁରୀ ପୌରପରିଷଦର ଅଧ୍ୟକ୍ଷ ହୋଇଥିଲେ। ୧୯୯୪ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ। ଛାତ୍ର ଜୀବନରୁ ରାଜନୀତି କରୁଥିବା ମହେଶ୍ବର ମହାନ୍ତି ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ପ୍ରଥମେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ପୁରୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ କିନ୍ତୁ ସେ ହାରିଯାଇଥିଲେ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି ମହେଶ୍ବର। ଜଣେ ଅନୁଭବୀ ଓ ଅନୁଭୁତି ସମ୍ପନ୍ନ ରାଜନେତା ଭାବେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ ଓଡିଶା ବିଧାନସଭାର ବାଚସ୍ପତି। ବାଚସ୍ପତି ଥିବା ସମୟରେ ସେ ନେଇଥିବା ଅନେକଗୁଡିକ ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ଆଜି ବିଧାୟକମାନେ ତାଙ୍କୁ ଝୁରି ହେଉଛନ୍ତି। ନବୀନଙ୍କ ଟିମରେ ଆଇନ, ପର୍ଯ୍ୟଟନ, ରାଜସ୍ବ, ପଞ୍ଚାୟତିରାଜ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର। ୨୦୧୧ ମେ’ରୁ ୨୦୧୨ ଅଗଷ୍ଟ ପର୍ଯ୍ୟନ୍ତ ସେ ପଂଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୨ ଅଗଷ୍ଟରୁ ୨୦୧୪ ମେ’ ପର୍ଯ୍ୟନ୍ତ ସେ ଥିଲେ ଯୋଜନା ଓ ସଂଯୋଜନା ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ ଆଇନ ମନ୍ତ୍ରୀ ଦାୟିତ୍ବରେ ଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ। ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦଳକୁ ସୁଦୃଢ କରିବାକୁ ମଧ୍ୟ ପଦକ୍ଷେପ ନେଇଥିଲେ ମହେଶ୍ବର।