ବାଂଲାଦେଶ ବିଜୟୀ, ସେମିଫାଇନାଲ ଦୌଡରୁ ବାଦ ପଡିଲା ଶ୍ରୀଲଙ୍କା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୩ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଶ୍ରୀଲଙ୍କାର ସେମିଫାଇନାଲ ପ୍ରବେଶ ଆଶା ନଷ୍ଟ ହୋଇଯାଇଛି । ବାଂଲାଦେଶ ପୂର୍ବରୁ ଏହି ଦୌଡରୁ ବାଦ ପଡିସାରିଛି । ୨୮୦ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧.୧ ଓଭରରେ ୭ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ନାଜମୁଲ ହୋସେନ ଶାନ୍ତୋ ୯୦ ଓ ଶକୀବ ଉଲ ହାସନ ୮୨ ରନର ଇନିଂସ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାଦ ମଧୂଶଙ୍କା ୩ଟି ଏବଂ ମହୀଶା ତୀକ୍ଷାନା ଓ ଆଞ୍ଜେଲୋ ମାଥ୍ୟୁସ ୨ଟି ଲେଖାଁଏ ୱିକେଟ ନେଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ଶ୍ରୀଲଙ୍କା ୩୦୦ରୁ ଊର୍ଦ୍ଧ୍ୱ ରନ କରିବା ବୋଲି ଆଶା କରାଯାଉଥିଲା । ମାତ୍ର ଉଚିତ ସମୟରେ ଆଞ୍ଜେଲୋ ମାଥ୍ୟୁସ ଟାଇମ ଆଉଟ ହେବା ପରେ ଦଳ ୨୭୯ ରନରେ ସୀମିତ ରହି ଯାଇଥିଲା । ଆଶଲାଙ୍କା ୧୦୮, ସଦୀରା ସମରବିକ୍ରମ ୪୧ ଓ ଧନଞ୍ଜୟ ଡିସଲଭା ୩୪ ରନର ଇନିଂସ ଖେଳିଥିଲେ । ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ଶାକିବ ୩ଟି ଏବଂ ଶଫିଉଲ ଇସଲାମ ଓ ଶକୀବ ଉଲ ହାସନ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ବାଂଲାଦେଶ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ୮ଟି ଲେଖାଁଏ ମ୍ୟାଚ ଖେଳି ୪ ପଂଏଟ ହାସଲ କରିଛନ୍ତି । ଇଂଲଣ୍ଡ, ନେଦରଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ସେମିଫାଇନାଲ ଦୌଡରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରୁ ୨ଟି ଟିମ ସେମି ପାଇଁ ଲଢ଼େଇ କରିବେ । ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.