‘ଆମ ଓଡ଼ିଶା ନବୀନ ଓଡିଶା’ : ଦେଓଗାଁ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଯୋଜନାକୁ ପ୍ରତ୍ୟାଖାନ ଅଭିଯୋଗ 

• ଭାଗ ବଣ୍ଟନରେ ପାତର ଅନ୍ତର କାହିଁକି ?

• କିଏ କରିଛି ଓଲଟ ପାଲଟ ? 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ରାଜ୍ୟ ସରକାରଙ୍କ ଏକ ଗ୍ରାମାଭୀମୁଖି ଜନପ୍ରୀୟ ଯୋଜନା ହେଉଛି ‘ଆମ ଓଡ଼ିଶା ନବୀନ ଓଡିଶା’। ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତକୁ ଅନୁମୋଦିତ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇଛି। ପୂର୍ବରୁ ଗ୍ରାମସଭା ମାଧ୍ୟମରେ ପଞ୍ଚାୟତବାସୀ ପ୍ରସ୍ତାବିତ ଯୋଜନାଗୁଡିକୁ ବ୍ଲକ କାର୍ଯ୍ୟାଳୟକୁ ପଠାଇଥିଲେ, ଯାହା ଅନୁମୋଦିତ ହୋଇ ଆସିଛି। ତେବେ କେସିଙ୍ଗା ବ୍ଲକରେ ଏହାର ଓଲଟା ଚିତ୍ର ଏବେ ସାମ୍ନାକୁ ଆସିଛି। ଦେଓଗାଁ ପଞ୍ଚାୟତ ଗ୍ରାମସଭା ଦ୍ବାରା ପ୍ରସ୍ତାବିତ ଯୋଜନାକୁ ପ୍ରତ୍ୟାଖାନ କରାଯାଇ ଗୋଟିଏ ଗ୍ରାମ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ବିଜେଡିର ପ୍ରଭାବଶାଳୀ ନେତା କୁହାଯାଉଥିବା ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ଇଙ୍ଗିତରେ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ସୂଚନା ଅନୁସାରେ ପୂର୍ବରୁ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ପ୍ରସ୍ତୁତ (ଆକ୍ସନ ପ୍ଲାନ୍) କରିବା ପାଇଁ ଦେଓଗାଁ ପଞ୍ଚାୟତକୁ କେସିଙ୍ଗା ବିଡିଓ ପତ୍ର ପ୍ରେରଣ କରିଥିଲେ। ଏହାକୁ ନେଇ ଦେଓଗାଁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ, ଜିଆରଏସ୍, ସମସ୍ତ ଓ୍ଵାର୍ଡ ସଭ୍ୟ/ସଭ୍ୟା ତଥା ପଞ୍ଚାୟତର ୪ଖଣ୍ଡ ଗାଁ ଦେଓଗାଁ, ଜାମଜୋର, ମହଗାଁ, ମାଟିଆର ଜନସାଧାରଣଙ୍କୁ ନେଇ ବୈଠକ କରାଯାଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ରେ ପଞ୍ଚାୟତକୁ ପ୍ରାପ୍ତ ହେବାକୁ ଥିବା ଅର୍ଥର ଖର୍ଚ୍ଚ ତାଲିକା ଗ୍ରାମସଭା ମାଧ୍ୟମରେ ପ୍ରସ୍ତୁତ କରାଯାଇ ସର୍ବସମ୍ମତିକ୍ରମେ ଏହାକୁ ପାରିତ କରାଯାଇ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଯେଉଁ ପ୍ରସ୍ତାବରେ ଦେଓଗାଁ ପଞ୍ଚାୟତର ୪ଖଣ୍ଡ ଗାଁ ଦେଓଗାଁ, ଜାମଜୋର, ମାଟିଆ ଓ ମହଗାଁକୁ ସମାନ ଭାବରେ ୧୨ ଲକ୍ଷ ୫୦ ହଜାର ଲେଖାଏଁ ବଣ୍ଟନ କରାଯାଇଥିଲା ଏବଂ ଏହାକୁ ନେଇ ଦେଓଗାଁ ପଞ୍ଚାୟତର ସମସ୍ତ ଗାଁର ଗ୍ରାମବାସୀ ଖୁସି ବ୍ୟକ୍ତ କରୁଥିଲେ। ତେବେ ପରିତାପର ବିଷୟ ଦେଓଗାଁ ପଞ୍ଚାୟତ ଗ୍ରାମସଭାରେ ପାରିତ ପ୍ରସ୍ତାବକୁ ଅଣଦେଖା କରାଯାଇଛି। ଏହି ପଞ୍ଚାୟତ ପ୍ରତି ହୀନ ଚକ୍ରାନ୍ତ କରି ପ୍ରେରିତ ପଞ୍ଚାୟତର ଆକ୍ସନ ପ୍ଲାନକୁ ଓଲଟପାଲଟ କରାଯାଇଛି। ଖୋଦ୍ ଦେଓଗାଁକୁ ୮ଟି ପ୍ରୋଜେକ୍ଟ ପାଇଁ ୩୬ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ, ମାଟିଆ ଗାଁକୁ ଗୋଟିଏ ପ୍ରୋଜେକ୍ଟ ବାବଦକୁ ୪ ଲକ୍ଷ, ଜାମଜୋର ଗାଁକୁ ଗୋଟିଏ ପ୍ରୋଜେକ୍ଟ ପାଇଁ ୬ ଲକ୍ଷ ଓ ମହଗାଁ ପାଇଁ ଗୋଟିଏ ପ୍ରୋଜେକ୍ଟ ବାବଦକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହାକୁ ନେଇ ମାଟିଆ, ଜାମଜୋର୍ ମହଗାଁ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ସମାନ ଭାବେ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇ ସମସ୍ତ ଗାଁକୁ ସମାନ ଅନୁଦାନ ଦିଆଯାଇଥିବା ବେଳେ ଏହାକୁ ଓଲଟପାଲଟ କରିବାରେ କାହାର ହାତ ଅଛି ତାହା ଏବେ ଅସନ୍ତୁଷ୍ଟ ଗ୍ରାମବାସୀମାନେ ଜାଣିବାକୁ ଚାହୁଁଛନ୍ତି। ଅଭିଯୋଗକାରୀ ଗ୍ରାମବାସୀ ମାନେ ଏହାକୁ ନେଇ ଅସନ୍ତୋଷର ତୁମ୍ବୀତୋଫାନ କରୁଛନ୍ତି। ସରକାରୀ ଚିଠିକୁ ନେଇ ପଞ୍ଚାୟତ ଗ୍ରାମସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିଥିଲା ତାହା ପୁଣି ସମସ୍ତଙ୍କ ଉପସ୍ଥିତିରେ ଅଥଚ କେଉଁ କାରଣରୁ ଏହାକୁ ଚାପି ଦେଇ ନିଜ ମନମୁତାବକ ଅର୍ଥ ବଣ୍ଟନ କରାଯାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଗକୁ ନିର୍ବାଚନ ଅଛି ତୁରନ୍ତ ଏହି ଅନୁଦାନକୁ ପୁନଃ ସଂଶୋଧନ କରି ଦେଓଗାଁ ପଞ୍ଚାୟତର ପ୍ରସ୍ତାବିତ ଆକ୍ସନ ପ୍ଲାନ ଅନୁଯାୟୀ ଅର୍ଥ ବଣ୍ଟନ କରାନଗଲେ ପରିସ୍ଥିତି ସରକାରଙ୍କୁ ହିଁ ଭୋଗିବାକୁ ପଡିବ ବୋଲି ଅସନ୍ତୁଷ୍ଟ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅତି ଶୀଘ୍ର ଏହାର ସମାଧାନ କର ନଚେତ ନିର୍ବାଚନ ପ୍ରଚାର ସମୟରେ ସରକାରୀ ଦଳକୁ ଆମେ ସମ୍ନା କରିବୁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନାରେ ଦେଓଗାଁ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଯୋଜନାକୁ ପ୍ରତ୍ୟାଖାନ କରିଯାଇଥିବା ଅଭିଯୋଗ ନେଇ ଅଞ୍ଚଳବାସୀ କେସିଙ୍ଗା ବିଡ଼ିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.