ସରପଞ୍ଚଙ୍କ ଅନୁପସ୍ଥିତିରେ କାର୍ଯ୍ୟାଦେଶ ବାଂଟୁଛନ୍ତି କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗ୍ରାମାଂଚଳର ଐତିହ୍ୟର ସମୃଦ୍ଧ,ଜଗନ୍ନାଥ ସଂସ୍କୃତିର ସୁରକ୍ଷା,ଗ୍ରାମାଂଚଳରେ ଭାଗବତ ଟୁଙ୍ଗିର ରୂପାନ୍ତରଣ ସହ ଗାଁ ଗାଁରେ ଡିଜିଟାଲ ସେବା,ମହିଳା ଓ ଯୁବ ଶକ୍ତିର ସଶକ୍ତିକରଣ,ଓଡିଆ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣକୁ ଗୁରୁତ୍ୱ ଦେବା ଭଳି ଆହୁରି ଅନେକ ବିଷୟକୁ ନେଇ ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା । ଯାହାକୁ ନେଇ ରାଜ୍ୟର ଅନେକ ଜିଲ୍ଳାର ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା ଯାଏଁ ଅନୁଦାନ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାୟଗଡା ଜିଲ୍ଳା ସଦର ବ୍ଳକର ପିପଲଗୁଡା ଗ୍ରାମ ପଂଚାୟତ ମଧ୍ୟ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଜିଲ୍ଳା ପରିଷଦ ସଭ୍ୟା,ସରପଂଚ,ସମିତି ସଭ୍ୟ ହସ୍ତଖତରେ ପ୍ରସ୍ତୁତ କାର୍ଯ୍ୟ ଖସଡାକୁ ଅନୁମୋଦିତ କରାଯାଇଥିଲା । କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହା ସମସ୍ତଙ୍କୁ ଅବଗତ କରାଯାଇଥିଲା । ତେବେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟ ଖସଡାକୁ ପରିବର୍ତନ କରାଯାଇ ଥିବାରୁ ଜନ ପ୍ରତିନିଧିମାନେ ଦେଇଥିବା କୈାଣସି ବି ପ୍ରକଳ୍ପ ଏହି ଯୋଜନାରେ ସ୍ଥାନ ପାଇନାହିଁ । ତେଣୁ ଯେଉଁ କାର୍ଯ୍ୟ ସବୁ ଉକ୍ତ ଯୋଜନାରେ ହାତକୁ ନିଆଯାଇଛି ତାହା କାହାର ହିତ ପାଇଁ ଓ କେଉଁ ମାନଙ୍କର ଇଙ୍ଗିତରେ କାର୍ଯ୍ୟ ଖସଡା ପରିବର୍ତନ କରାଯାଇଛି ବୋଲି ଆଜି ପିପଲଗୁଡା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତି ରେଣୁକା ମାଣ୍ଡାଙ୍ଗି ସ୍ଥାନୀୟ ବିଡିଓ ଅମୂଲ୍ୟ କୁମାର ସାହୁଙ୍କୁ ପ୍ରଶ୍ନ କରିବା ସହ ପ୍ରସ୍ତୁତ କାର୍ଯ୍ୟ ଖସଡାରେ ସଂଶୋଧନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଜନ ପ୍ରତିନିଧିଙ୍କ ହସ୍ତଖତରେ ପ୍ରସ୍ତୁତ କାର୍ଯ୍ୟ ଖସଡାକୁ ପରିବର୍ତନ କରିବା ଭଳି କାର୍ଯ୍ୟ ଜନ ପ୍ରତିନିଧିଙ୍କ ପ୍ରତି ଅପମାନିତ କାର୍ଯ୍ୟ ସଦୃଶ ନୁହେଁ କି ବୋଲି ଜିଲ୍ଳା ପରିଷଦ ସଭ୍ୟା ମଧ୍ୟ ବିଡିଓଙ୍କୁ ପ୍ରଶ୍ନ କରିଛନ୍ତି । ଏପରିକି ପଂଚାୟତ କାର୍ଯ୍ୟାଳୟରେ ବିନା ସରପଂଚଙ୍କ ଉପସ୍ତିତିରେ କନିଷ୍ଠ ଯନ୍ତ୍ରୀ ଓ ଗ୍ରାମ ରୋଜଗାର ସେବକ (ଜିଆରଏସ) ସ୍ଥାନୀୟ ସମିତି ସଭ୍ୟ ଓ ତାଙ୍କର ଅନୁଗତଙ୍କ ସହ ମିଶି ଗତ ନଭେମ୍ବର ୭ତାରିଖରେ ବିଭିନ୍ନ କାର୍ଯ୍ୟର କାର୍ଯ୍ୟାଦେଶ ବଂଟନ କରୁଛନ୍ତି । ଯଦି ଭବିଷ୍ୟତରେ କୈାଣସି ଲୋକଙ୍କ ଆପୋସ ବୁଝାମଣା ଅଭାବ ଯୋଗୁଁ କାହାର କିଛି କ୍ଷତି ହେଲେ ଏଥି ନିମନ୍ତେ ବିଡିଓ ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଳେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଖ ଜୋନ ଜିଲ୍ଳା ପରିଷଦ ସଭ୍ୟା ପଦ୍ମାବତୀ ମାଣ୍ଡାଙ୍ଗି,ପିପଲଗୁଡା ସରପଂଚ ରେଣୁକା ମାଣ୍ଡାଙ୍ଗିଙ୍କ ସମେତ ଗ୍ରାମର ସତ୍ୟବାନ୍ ମାଣ୍ଡାଙ୍ଗି,ରଂଜନ ଜିଲାକାରା,ଏଙ୍କାନା ଜିଲାକା ପ୍ରମୁଖ ଉପସ୍ଥିତ ରହିଥିଲେ ।