ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦଶରା ସମ୍ପନ୍ନ ହେବାପରେ ପ୍ରତିବର୍ଷ ରବିବାର ଦିନ ଗୋତୋମୁଣ୍ଡାଠାରେ ଘାଟିମୁଣ୍ଡିଆଣୀ ମା’ ସର୍ବମଙ୍ଗଳା ଦେବୀଙ୍କ ଦଣ୍ଡପାଟ ଦଶରା ପାଳିତ ହୋଇଥାଏ। ୩ଦିନ ଧରି ଚାଲିଥିବା ଦଣ୍ଡପାଟ ଦଶରା ମହୋତ୍ସବ ମଙ୍ଗଳବାର ବିଲମ୍ବିତ ରାତିରେ ଶାନ୍ତି ଶୃଙ୍ଖଳା ସହକାରେ ସମ୍ପନ୍ନ ହୋଇଛି। ରବିବାର ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଅପରାହ୍ନରେ ଖଣ୍ଡାଧୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏବଂ ସନ୍ଧ୍ୟାରେ ଡ୍ୟାନ୍ସ ପ୍ରତିଯୋଗୀତା ସହ ସୋମବାର ସକାଳୁ ପୀଠ ପୂଜା ଓ ରାତିରେ ନାଟକ ପ୍ରତିଯୋଗିତା ହୋଇଥିଲା। ମଙ୍ଗଳବାର ସକାଳ ୧୦ଟା ସମୟରୁ ବାର୍ଷିକ ଦଶରା ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମାନସିକ ଧାରି ଭକ୍ତମାନେ ମନସ୍କାମନା ପୂରଣ ହୋଇଥିବାରୁ ପୀଠରେ ରକ୍ତ ଭାଗରେ ବଳୀ ଅର୍ପଣ କରିଥିଲେ। ମନ୍ଦିରରେ ପୂଜା ପରେ ସନ୍ଧ୍ୟାରେ ଦେବୀଙ୍କ ଲାଠି କାଲିଶୀମାନେ ନାଗରା, ମହୁରୀ ସହ ଗଣାବଜା ବଜାଇ ଦଶରା ମହୋତ୍ସବର ସାଂସ୍କୃତିକ ମଞ୍ଚ ନିକଟକୁ ପହଞ୍ଚି ଥିଲେ। ଯଥାବିଧି ପୂଜାର୍ଚ୍ଚନା ପରେ ମଞ୍ଚ ଉପରକୁ ଦେବାଦେବୀ ପଦାର୍ପଣ କରିଥିଲେ। ପରେ ଘାଟିମୁଣ୍ଡିଆଣୀ ମା’ ସର୍ବମଙ୍ଗଳା ବିଭିନ୍ନ ଦେବୀଙ୍କ ରୁପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଦର୍ଶନ ପାଇ ଶ୍ରଦ୍ଧାଳୁ ଓ ଦର୍ଶକମାନେ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ଦେବାଦେବୀ ମାନେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦଶରା ପୂଜାର ଉଦଯାପନୀ ଦିବସରେ ପାରମ୍ପରିକ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ ଦିଶାରୀ, ଧର୍ମଗଡ଼ ଜୋନ୍ ନଂ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରାସାଦ ମହାନ୍ତି, ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ଜିତେନ୍ଦ୍ର ପଣ୍ଡା, ଶିକ୍ଷକ ସଞ୍ଜିବ ପାଢ଼ୀ, ନର୍ଲାବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ହେମନ୍ତ ମାଝୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କ୍ଷୀରସିନ୍ଧୁ ବାଣୁଆ ମଞ୍ଚକୁ ପରିଚାଳନା କରିଥିଲେ। ୩ଦିନ ଧରି ଚାଲିଥିବା ଘାଟିମୁଣ୍ଡିଆଣୀ ମା’ ସର୍ବମଙ୍ଗଳା ଦେବୀଙ୍କ ଦଶରା ମହୋତ୍ସବରେ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ହାଜର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଆମପାଣି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା। ଦଣ୍ଡପାଟ ଦଶରା ମହୋତ୍ସବ ପରିଚାଳନା କମିଟି ଓ ଗ୍ରାମବାସୀ ଉପସ୍ଥିତ ରହି ଦଶରା ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।