ଅନ୍ୟ ଧର୍ମର ପୁଅ ସହ କଥା ହେବାରୁ ଝିଅକୁ କୀଟନାଶକ ଖୁଆଇ ହତ୍ୟା କଲା ବାପ

ଅନ୍ୟ ଧର୍ମର ଜଣେ ପୁଅ ସହିତ କଥାବାର୍ତ୍ତା ହେଉଥିବାରୁ ଝିଅକୁ ଜବରଦସ୍ତ କୀଟନାଶକ ଖୁଆଇ ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ । ଘଟଣାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ଅଲୁବା ପଶ୍ଚିମ ପୋଲିସ । କେରଳର ଏର୍ନାକୁଲମରେ ଜଣେ ୪୩ ବର୍ଷ ବୟସ୍କା ବ୍ୟକ୍ତି ନିଜ ଝିଅକୁ ଜବରଦସ୍ତ କୀଟନାଶକ ଖାଇବାକୁ ଦେଇ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି ପୋଲିସ । ବାପା ଅବିସ ମହମ୍ମଦ ଝିଅ ଫାତିମାକୁ କୀଟନାଶକ ଦେବା ପୂର୍ବରୁ ତାକୁ ଲୁହା ରଡରେ ଅତି ନୃଶଂସ ଭାବେ ପିଟିଥିଲା । ପୋଲିସର ସୂଚନାନୁସାରେ, ଝିଅ ଫାତିମାର ଅନ୍ୟ ଧର୍ମର ଜଣେ ପୁଅ ସହିତ ଥିବା ବନ୍ଧୁତାକୁ ନେଇ ଅନେକ ସମୟରେ ବିରୋଧ କରିଆସୁଥିଲା ବାପା ଅବିସ । ବାରମ୍ବାର ଚେତାବନୀ ସତ୍ତ୍ବେ ଝିଅ ସମ୍ପର୍କ ଜାରି ରଖିଥିଲା । ଏଫଆଇଆର ଅନୁଯାୟୀ, ଝିଅର ବନ୍ଧୁତା ବିଷୟରେ ଜାଣିବା ପରେ ବାପା ଅବିସ ଫାତିମାକୁ ଫୋନ୍ ବ୍ୟବହାର କରିବାକୁ ମନା କରିଦେଇଥିଲା ଏବଂ ଫୋନ ମଧ୍ୟ ଛଡ଼ାଇ ନେଇଥିଲା । ହେଲେ ଝିଅ ଫାତିମା ଅନ୍ୟ ଏକ ଫୋନ ମାଧ୍ୟମରେ ପୁଅ ବନ୍ଧୁ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲା । ଯାହା ଜାଣିପାରି ବାପା ଅବିସ ଫାତିମାର ହାତ ଓ ଗୋଡକୁ ଲୁହା ରଡ ସାହାଯ୍ୟରେ ପିଟିବା ସହ ଜବରଦସ୍ତ କୀଟନାଶକ ଦେଇ ହତ୍ୟା କରିଥିବା ଜଣାପଡିଛି । ତେବେ ଝିଅ ଫାତିମାକୁ ଗତ ମାସର ୨୯ ତାରିଖ ରୁ କୋଚିର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବହୁ ଚେଷ୍ଟା ପରେ ମଧ୍ୟ ଡାକ୍ତର ଫାତିମାକୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ବାପକୁ ପୋଲିସ ଗିରଫ କରି ଆଇପିସିର ଧାରା ୩୪୨, ୩୨୪, ୩୨୬-ଏ, ୩୦୭ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୫ ଅନୁଯାୟୀ ଅବିସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.