୫୦୦ ଅଭିଯୋଗକାରୀଙ୍କ ସଂଖ୍ୟା ଆସି ପହଂଚିଛି ୫୦ରେ, ସମସ୍ୟା ସମାଧାନର ନାଁ ଗନ୍ଧ ନାହିଁ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଥମେ ମାସର ପ୍ରଥମ ସୋମବାର କେବଳ ଜିଲ୍ଲାରେ ଚାଲୁଥିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ । ଏହାପରେ ଗତ ୧୦ ବର୍ଷ ହୋଇଗଲା ପ୍ରତି ବ୍ଲକରେ ୩ ମାସରେ ଥରେ ଆରମ୍ଭ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଦୁର ଦୂରାନ୍ତରରୁ ଲୋକେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ପାଇଁ ଆସିବାରେ ଅନେକ ସମସ୍ୟା ସାଙ୍ଗକୁ ଲୋକେ ଅନେକ ହଇରାଣ ହରକତ ମଧ୍ୟ ହେଉଥିଲେ । ଏଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଆରମ୍ଭ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ । ଏଥିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଏବଂ ସମ୍ପୃକ୍ତ ବ୍ଲକର ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହୁଛନ୍ତି । ଅଭିଯୋଗ ଶୁଣାଣୀକୁ ଆଉଟିକେ ସରଳ ଓ ସୁବିଧା କରିବା ପାଇଁ ଗତ ବର୍ଷରୁ ବ୍ଲକର ପ୍ରତି ଗ୍ରାମ ପଞ୍ଚାୟତରେ ଚାଲିଛି ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ । ଗତବର୍ଷ ଠିକ ଏହି ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସେରଗଡ ଗ୍ରାମ ପଞ୍ଚାୟତରୁ ପ୍ରଥମ କରି ଆରମ୍ଭ ହୋଇଥିଲା ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ । ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ହେଉ କିମ୍ବା ବ୍ଲକ ସ୍ତରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଗୁଡିକରେ ୩୦୦ରୁ ଉର୍ଦ୍ଧ୍ୱ ଅଭିଯୋଗକାରୀଙ୍କ ନାମ ପଞ୍ଜିକୃତ ହୋଇପାରୁ ନଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରରେ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବା ଦେଖିବାକୁ ମିଳିଥିଲା । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ କୌଣସୀ ସ୍ଥାନରେ ମଧ୍ୟ ୫୦୦ରୁ କମ ଅଭିଯୋଗ ଦରଖାସ୍ତ ପଡିନଥିଲା । ଏବେ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚୟତ ଗୁଡିକରେ ଦ୍ୱିତୀୟ ରାଉଣ୍ଡ ଯୁଗ୍ମ ଅଭିଯୋଗ ଶୁଣାଣୀ ସରି ସାରିଥିବା ବେଳେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଚାଲିଛି ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ । ଆରମ୍ଭ ସମୟରେ ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଆସି ଅଭିଯୋଗ ଗୁଡିକ ଆଲୋଚନା କରିବା ପାଇଁ ବସୁଥିଲେ । ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଏତେ ଅଧିକାରୀ ହେଉଥିଲେ ଯେ, ଗ୍ରାମ ପଞ୍ଚାୟତ ଅଫିସ୍ ଭିତରେ ଜାଗା ହେଉନଥିଲା । ଏଣୁ ଗ୍ରାମ ପଞ୍ଚାୟତ ଅଫିସ ପରିସରର ବାହାରେ ଟେଣ୍ଟ ତଳେ ବସି ଅଧିକାରୀମାନେ ଅଭିଯୋଗକାରୀଙ୍କ ଦ୍ୱାରା ଆସିଥିବା ଅଭିଯୋଗ ଗୁଡିକର ସମାଧାନ ବାହାର କରୁଥିଲେ । ହେଲେ ବର୍ଷଟେ ପରେ, ଦୁଇ ରାଉଣ୍ଡ ସରିଯିବା ପରେ ବିଡିଓଙ୍କ ଅଭିଯୋଗ ଶୁଣାଣୀରେ ବିଡିଓ ମଧ୍ୟ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳୁଛି । ଲାଇନ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ ମାନଙ୍କ କଥା ନକହିବା ଭଲ । ଗତ ସୋମବାର ୧୩/୧୧ ନର୍ଲା ବ୍ଲକର ନିପଟ ମଫସଲ ଅଞ୍ଚଳ ଭାବରେ ବିବେଚନା କରାଯାଉଥିବା କୁର୍ମେଲ ଗ୍ରାମ ପଞ୍ଚାୟତରେ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରହିଥିଲା । ଏଥିରେ ବିଡିଓ ଖୋଦ ଅନୁପସ୍ଥିତ ରହିଥିବା ବେଳେ ଏବିଡିଓ ଦେବେନ୍ଦ୍ର ସାମଲ, ତହସିଲଦାର ବିଶ୍ବରଞ୍ଜନ କଅଁର, ଜିପିଇଓ କ୍ଷିତିଶଚନ୍ଦ୍ର ନାଏକ, ସରପଞ୍ଚ ସୁଭଦ୍ରା ମାଝୀ ମଞ୍ଚାସୀନ ରହି ଅଭିଯୋଗ ଗୁଡିକ ଶୁଣିଥିଲେ । କାର୍ଯ୍ୟକ୍ରମଟିକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଶ୍ରଅଂଶୁ ମିଶ୍ର ପରିଚାଳନା କରିଥିଲେ। ଏଇଠି ନା ଥିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ନା ଉପସ୍ଥିତ ଥିଲେ ଉଦ୍ୟାନ ବିଭାଗ ଅଧିକାରୀ, ପୋଲିସ ଅଧିକାରୀଙ୍କ ମଧ୍ୟ ଦେଖା ମିଳିନଥିଲା । କେବଳ ଯୋଗାଣ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଆଇସିଡିଏସ ବିଭାଗର, ବନବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଅବକାରୀ ବିଭାଗର ଅଧିକାରୀ ମାନଙ୍କ ତ କୌଣସୀ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀରେ ଦେଖା ମିଳୁନି, ମତ୍ସ୍ୟ ବିଭାଗ, ପଶୁ ସମ୍ପଦ ବିଭାଗ କଥା ନକହିବା ଭଲ । ଗ୍ରାମ ପଞ୍ଚାୟତ କର୍ମଚାରୀ ମାନଙ୍କ ସହଯୋଗରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯାହିତାହି ଭାବରେ ସରିଯାଇଥିଲା । ଏହି ତୃତୀୟ ପର୍ଯ୍ୟାୟ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଏବେ ଅଭିଯୋଗକାରୀ ମାନଙ୍କ ସଂଖ୍ୟା ମଧ୍ୟ କମି କମି ମାତ୍ର ୫୦ ରେ ସଂଖ୍ୟା ପହଞ୍ଚି ସାରିଲାଣି । ପ୍ରଶାସନ ୯୫ ପ୍ରତିଶତ ଅଭିଯୋଗ ଗୁଡିକ ସମାଧାନ କରିବାରେ ବିଫଳ ରହୁଥିବା ଯୋଗୁଁ ଅଭିଯୋଗକାରୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ତୁଟିବାରେ ଲାଗୁଛି । ଫଳ ସ୍ୱରୁପ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ପ୍ରହସନ ପାଲଟିଛି ବୋଲି କୁହାଯାଉଛି । ବାସ୍ତବିକ ଅଭିଯୋଗ ଶୁଣାଣୀରେ ଅଭିଯୋଗ ଗୁଡିକର ସମାଧାନ ହେଉନଥିବାରୁ ଅଭିଯୋଗକାରୀ ଏହାକୁ ପ୍ରହସନର ଆଖ୍ୟାଦେଇ ଆଉ ଆସୁନଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ସୋମବାର ଅନୁଷ୍ଠିତ ହେଉଥିବା ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଲାଇନ ବିଭାଗ କିମ୍ବା ବ୍ଲକ ସ୍ତରୀୟ କୌଣସୀ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଲେ ସେମାନଙ୍କ ପ୍ରତି ବ୍ଲକ ପ୍ରଶାସନ ତରଫରୁ କୌଣସୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଧିକାରୀ ମାନେ ବେଖାତିର କରୁଛନ୍ତି ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।