ବନ୍ଦୀଛୋଡ ବଂଶୀୟଙ୍କ ଚାଉଳଧୁଆ ପର୍ବ ଓ ବନାବାଡ଼ି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମଗଧା ଯାଦବଙ୍କ ଏକ ମହାନବଂଶ ‘ବନ୍ଦିଛୋଡ’ଙ୍କ ଏକ ବିସ୍ତୃତ ସାଂସ୍କୃତିକ ପରମ୍ପରା ରହିଛି। ଏମାନେ ଏକ ଯୋଦ୍ଧା ଜାତିର ପରିଚୟ ବହନ କରିଥାନ୍ତି। ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସୋମବଂଶର ଏହି ଉପବଂଶଧର ମାନଙ୍କୁ ବନ୍ଦିଛୋଡ ଓ ତାଙ୍କର ବଡଭାଇଙ୍କୁ କହରୁଓ୍ବା/ କରୁଆଁ (ମହାଯୋଦ୍ଧା) ଉପାଧିରେ ଭୂଷିତ କରିଥିବା ଲୋକଶୃତି ରହିଛି। ଚଉଲଧୁଆ ବା ଚାଉଳଧୁଆ ବନ୍ଦିଛୋଡ ମାନଙ୍କ ଏକ ମହାନ ପର୍ବ ଭାବେ କେଉଁ ଏକ ଆବାହମାନ କାଳରୁ ପାଳିତ ହୋଇ ଆସୁଛି। ସେହି କ୍ରମରେ କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମରେ ବସତି ସ୍ଥାପନ କରି ରହୁଥିବା ବନ୍ଦୀଛୋଡ ବଂଶୀୟ ଯାଦବଙ୍କ (ଦିଏଲ) ଚାଉଳଧୁଆ ପର୍ବ ଆଜି ଗୋନ୍ତିଆ ପରିବାରରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ସହ ପାଳିତ ହୋଇଛି। ଗୋନ୍ତିଆ ପରିବାର ସମସ୍ତ ଛୁଆ ଠୁଁ ବୁଢ଼ା ଓ ମହିଳାମାନେ ଏହି ପର୍ବ କୁ ପାଳନ କରି ଭାଇଚାରାର ନିଦର୍ଶନ ସାଜିଛନ୍ତି। ପିତୃ ପୁରୁଷ, ମାଁ ସମଲେଇ, ଛତ୍ରୀଏନ, ଠାକୁରାଣୀଙ୍କୁ ଆବାହନ କରି ନୂତନ ଧାନର ଚାଉଳରେ ପ୍ରସ୍ତୁତ ବିଭିନ୍ନ ଭୋଗ ଅର୍ପଣ କରି ଆଜିଠୁଁ ଚାଉଳ ଧୋଇ ଓ ଝୁଡ଼ଙ୍ଗ ଡାଲିକୁ ଖାଇବା ପାଇଁ ସମ୍ମତି ହୋଇଛି। ଏହି ଅବସରରେ ବନ୍ଦୀଛୋଡ ବଂଶୀୟ ବନାବାଡ଼ି ମଧ୍ୟ ଆଜିଠୁଁ ଆରମ୍ଭ ହୋଇଛି। ଗୋଟିଏ ପିଢ଼ି ପରେ ଆରମ୍ଭ ହୋଇଥିବା ଏହି ବନାବାଡ଼ିକୁ ନିଷ୍କାସନ ପାଇଁ ଦିଏଲ ଦିନ ବା ଚାଉଳ ଧୁଆ ଦିନ ପିତୃ ପୁରୁଷ ଓ ମାଁ ସମଲେଇ ଛତ୍ରୀଏନଙ୍କୁ ଆବାହନ କରି ଆଶୀର୍ବାଦ ଭିକ୍ଷା କରି ଗାଦୀରେ ଥିବା ପାରମ୍ପରିକ ଅସ୍ତ୍ର, ବନାବାଡ଼ି, ମାଁ ସମଲେଇଙ୍କ ଖଣ୍ଡା, ତ୍ରିଶୂଳ, ଆଦି ନିଷ୍କାସନ କରି ଧଳା ବୋକାକୁ ସମର୍ପଣ କରାଯାଏ ଯାହାକି ମାଘ ଦଶମୀ ଉଦଯାପନୀ ଦିନ ବଳି ଦିଆଯାଇଥାଏ। ଆଜି ଏହି ବନାବାଡି ବାହାର ହେବା ପରେ ଗ୍ରାମ୍ୟ ପୂଝାରୀ, ଓ ବନ୍ଧୁ କୁଟୁମ୍ବ ଘରକୁ ବୁଲେଇ ରଖାଯାଇଛି। ନିର୍ଦ୍ଧାରିତ ତିଥିବାର ଅନୁସାରେ ପୁଣି ବନ୍ଧୁ କୁଟୁମ୍ବ ଘରକୁ ବୁଲେଇ ନେବା ଓ ମାଘ ଦଶମୀରେ ଶିଥିଳ କରିବା ବା ଉଦଯାପନୀ ହେବା ପାଇଁ ସ୍ଥିର କରାଯାଇଛି। ଦୀର୍ଘ ଚାଳିଶ ବର୍ଷ ପରେ ଏହି ବନାବାଡି ନିଷ୍କାସନ ହେଉଥିବାରୁ ବନ୍ଦୀଛୋଡ ବଂଶୀୟ ଛୁଆ ଠୁଁ ବୁଢ଼ା ପର୍ଯ୍ୟନ୍ତ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବନ୍ଦୀଛୋଡ ବଂଶୀୟ ପ୍ରାୟ ୧୩୦ ଭାଇ ଏକାଠି ହୋଇ ଭାଇଚାରା ବଜାୟ ରଖି ଏହି ଚାଉଳ ଧୁଆ ଓ ବନାବାଡି ଖେଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.