ମୁଣ୍ଡା ସମାଜ ପକ୍ଷରୁ କ୍ରାନ୍ତିକାରୀ ଜନନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଇଂରେଜ ସରକାର ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ ସାଜିଥିବା ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଆଦିବାସୀ ପଡ଼ିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡା ସମାଜ ପକ୍ଷରୁ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହରେ କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।  କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ସଭାପତି ଫକୀର ମୁଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ କବିରାଜ ମୁଣ୍ଡା, ଯୁବ ସଂଗଠନ ମୁଣ୍ଡା ଜନଜାତି ଡିଙ୍ଗର ମୁଣ୍ଡା, ସାଧାରଣ ସମ୍ପାଦକ ଅଶ୍ବିନୀ ମୁଣ୍ଡା, ସଭ୍ୟ ଜୀବନ ମୁଣ୍ଡା, ପତ୍ର ବାହକ ମଦନ ମୁଣ୍ଡା, ସଭ୍ୟ ତ୍ରିନାଥ ମୁଣ୍ଡା, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ସଭ୍ୟ ନୀରାକାର ମୁଣ୍ଡା, ସଭ୍ୟା ମାଣିକ୍ୟ ମୁଣ୍ଡା ପ୍ରମୁଖଙ୍କ ସହ ଶହଶହ ପୁରୁଷ ଓ ମହିଳାମାନେ  ଗ୍ରାମର ଧରଣୀ ପୀଠ ଠାରେ ପୂଜାର୍ଚ୍ଚନା ସାରି ମଶାଲ ଯାତ୍ରାରେ ବାହାରି ସଭାମଞ୍ଚରେ ପହଞ୍ଚିଥିଲେ। ସେଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ସଭାପତି ଫକୀର ମୁଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଶିକ୍ଷାବିତ୍ କ୍ଷିତିଶ ଚନ୍ଦ୍ର ମାଝୀ, ଶବର ସମାଜ ବ୍ଲକ ସଂପାଦକ ଚନ୍ଦ୍ର ଶେଖର ଶବର, କନ୍ଧ ସମାଜର ଯୁବ ସଚେତକ ଡମ୍ବରୁଧର ମାଝୀ,  ମୁଖ୍ୟ ବକ୍ତା ଭାବେ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ପ୍ରମୁଖ ମଞ୍ଚାସୀନ ରହି ବିର୍ସାମୁଣ୍ଡାଙ୍କ ଜୀବନୀ ଓ ତାଙ୍କ ତ୍ୟାଗ ବିଷୟରେ ବିସ୍ତାରିତ ଭାବେ ବର୍ଣ୍ଣନା କରିଥିଲେ। ୧୮୭୫ ମସିହା ଆଜିର ଦିନରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ପୋଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମହାନ ବିପ୍ଲବୀ ବିର୍ସା ମୁଣ୍ଡା। ବ୍ରିଟିଶ ଶାସନ ବିରୁଦ୍ଧରେ ସେ ଉଠାଇଥିଲେ ସ୍ବର। ସ୍ଥାନୀୟ ଆଦିବାସୀଙ୍କୁ ଏକାଠି କରିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ଧରତୀ ଆବାଙ୍କ ବିପ୍ଳବର ସ୍ବର ଝଙ୍କୃତ ହୋଇଥିଲା। ଦେଶ ମାତୃକା ପାଇଁ ସେ ମାତ୍ର ୨୫ ବର୍ଷ ବୟସରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଏ। ତେବେ ଆଜିର ଏହି କାର୍ଯ୍ୟକ୍ରମକୁ ଗଣେଶ ମୁଣ୍ଡା, ମହେନ୍ଦ୍ର ମୁଣ୍ଡା, ଅର୍ଜୁନ ମୁଣ୍ଡା, ଘନ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.