ଶ୍ରୀକ୍ଷେତ୍ରର ମା’ ଶୁଭଦ୍ରାଙ୍କ ରଥ ଚକକୁ ସୁବର୍ଣ୍ଣପୁରରେ ଭବ୍ୟ ସ୍ବାଗତ

ସୋନପୁରରେ ରଥ ଚକ ପହଞ୍ଚିବା ପରେ ଭକ୍ତିମୟ ପରିବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଲୀଳାମୟ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାଙ୍କର ଲୀଳା ବିଶ୍ୱ ବିଦିତ। କେବଳ ଚକା ଆଖି ଟିକିଏ ଦର୍ଶନ ପାଇଁ ଶହ ଶହ କିଲୋମିଟର ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଯାଇ ଥାଆନ୍ତି ଭକ୍ତ। କାଳିଆର ସାନ୍ନିଧ୍ୟ ଲାଭ ପାଇଁ ଆତୁର ଭକ୍ତର ମନ। ତେଣୁ ଅତି ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କଲା ଭଳି ହୃଦବୋଧ ହେବ ବୋଲି ସୁବର୍ଣ୍ଣପୁରର କିଛି ଜଗନ୍ନାଥ ପ୍ରେମୀ ଗୋଟିଏ ରଥ ଚକ ସୋନପୁର ଆଣିଛନ୍ତି ଯାହାକି ଜିଲ୍ଲା ପାଇଁ ଏକ ସୌଭାଗ୍ୟର ବିଷୟ। ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ତୁଳସୀ ରଥ ସହ ପୁରୀ ଯାଇଥିବା ଶ୍ରୀଜଗନ୍ନାଥ ସଂସ୍କୃତିର କର୍ମକର୍ତ୍ତାମାନେ ମା ସୁଭଦ୍ରାଙ୍କ ରଥ ଦେବଦଳନର ଏକ ଚକ ଆଣି ସୋନପୁର ଆସିଛନ୍ତି। ଏହି ରଥ ଚକ ଶ୍ରୀଜିଉଙ୍କ ପବିତ୍ର ଲୀଳା କ୍ଷେତ୍ର ଭାବେ ଖ୍ୟାତ ପାତାଳୀ ଶ୍ରୀକ୍ଷେତ୍ରରେ ସ୍ଥାପନ କରାଯିବ। ତେବେ ସୋନପୁରରେ ରଥ ଚକ ପହଞ୍ଚିଲା ପରେ ବିଭିନ୍ନ ସ୍ଥାନରେ ବନ୍ଦାପନା ଓ ପୂଜାର୍ଚ୍ଚନା କରାଯାଇ ଥିଲା। କୁଞ୍ଜଛକଠାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ଫୁଲ, ଧୂପ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ପରେ ଏକ ବାଇକ ରାଲିରେ ରଥକୁ ସୋନପୁର ସହର ପରିକ୍ରମା କରଯାଇଥିଲା। ପଞ୍ଚରଥ ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଟିକ୍ରିପଡା, ଗଡଭିତର, ପାଲେସ ଲାଇନ, ଘୋଡାଘାଟପଡା ସୋମନାଥ ମନ୍ଦିର ଓ ବ୍ଲକ ଛକ ଠାରେ ଶହ ଶହ ମହିଳା ଭକ୍ତ ରଥ ଚକ କୁ ଦର୍ଶନ ଓ ପ୍ରଭୁକୃପା ଲାଭ କରି ଭାବବିହ୍ୱଳ ହୋଇ ପଡିଥିଲେ ଓ ତୁଳସୀ ଟିକିଏ ପାଇ ରଥ ଚକ କୁ ଛୁଇଁ ନିଜକୁ ଭାଗ୍ୟବାନ ମନେ କରିଥିଲେ। ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇଥିଲା। ଚନ୍ଦ୍ରଶେଖର ଓତା, ଶ୍ରୀବତ୍ସ ମଲ୍ଲିକ, ସୁରେଶ ମିଶ୍ର, ଗଦାଧର ବାରିକ, ବେଣୀମାଧବ ବେଦବାକ, ମନୋରଞ୍ଜନ ତ୍ରିପାଠୀ, ଧରଣୀଧର ମିଶ୍ର, ପ୍ରକାଶ ବେବର୍ତ୍ତା, ମନୋଜ ପଣ୍ଡା, ଲଡୁ କିଶୋର ମଲ୍ଲିକ, ନନ୍ଦୁ କମାଣି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରେ ବିନିକା ଜଗନ୍ନାଥ ମନ୍ଦିର ଦେଇ ପାତାଳି ଶ୍ରୀକ୍ଷେତ୍ରକୁ ଏହି ଆଧ୍ୟାତ୍ମିକ ଯାତ୍ରା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.